ଭୁବନେଶ୍ବର: ରାଜ୍ୟ ସରକାର ଏକ କମିଶନ ସର୍ବସ୍ବ ସରକାର । ସବୁ କ୍ଷେତ୍ରରେ କମିଶନ ବସାଉଛନ୍ତି। ଶେଷରେ ଜଗନ୍ନାଥଙ୍କ ପାଖରେ କମିଶନ ଲଗେଇ ଦେଲେ । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କମିଶନ ବସାଇଲେ । 6 ମାସ ପରେ ରିପୋର୍ଟ ଦେଲା ଜଷ୍ଟିସ ରଘୁବୀର ଦାସ କମିଶନ । ଏଥିରେ 22 ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସରକାର । ବିଜେପି ଏତଲା ଦେଲା ପରେ ଜିଲ୍ଲାପାଳ କହିଲେ ରେକର୍ଡ ରୁମ୍ରୁ ଡୁପ୍ଲିକେଟ ଚାବି ମିଳିଛି । ହେଲେ ଆଜି ଯାଏଁ କାହିଁକି ରତ୍ନଭଣ୍ଡାର ଖୋଲି ପାରିଲା ନାହିଁ ? କାହିଁକି କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ? ଆଜି ପ୍ରେସମିଟ୍ କରି ଏଭଳି ଶାଣିତ ଆକ୍ରମଣ କରିଛନ୍ତି ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ।
ପୀତାମ୍ବର କହିଛନ୍ତି "5 ବର୍ଷ ତଳେ ଏପ୍ରିଲ 6 2018 ମସିହାରେ ବିଜେପି ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଥିଲା । ଏପ୍ରିଲ 3 ତାରିଖ 2018 ମସିହା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନ ଭଣ୍ଡାର ମରାମତି ପାଇଁ ଅନୁଧ୍ୟାନକାରୀ ଦଳ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । କିନ୍ତୁ ତାଙ୍କ ପାଖରେ ଚାବି ନଥିଲା । ସେମାନେ ଫେରିଆସିଲେ । ଏପ୍ରିଲ 4 ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଲେ ଚାବି ମିଳୁନି । ସମଗ୍ର ବିଶ୍ଵର ଦେବତାଙ୍କ ସମ୍ପତ୍ତି ସୁରକ୍ଷିତ ନାହିଁ । ସରକାର ଚାବି ହଜାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଜେପି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା । ପୋଲିସ ଶୁଣିଲାନି । ଭିଜିଲାନ୍ସ ମଧ୍ୟ ଶୁଣିଲା ନାହିଁ । 2 ମାସ ଲୁଚକାଳି ଖେଳିବା ପରେ ଜୁନ୍ 6ରେ ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କଲେ ରାଜ୍ୟ ସରକାର । ବିଭିନ୍ନ କମିଶନ ଗଠନ ହେଲାଣି । କିନ୍ତୁ ଫଳ କଣ ହେଉଛି ।"
ସେହିପରି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, "ରାଜ୍ୟ ସରକାର ଏକ କମିଶନ ସର୍ବସ୍ବ ସରକାର । ସବୁ କ୍ଷେତ୍ରରେ କମିଶନ ବସାଉଛନ୍ତି । ଶେଷରେ ଜଗନ୍ନାଥଙ୍କ ପାଖରେ କମିଶନ ଲଗାଇ ଦେଲେ । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କମିଶନ ବସାଇଲେ । 6 ମାସ ପରେ ରିପୋର୍ଟ ଦେଲା ଜଷ୍ଟିସ ରଘୁବୀର ଦାସ କମିଶନ । ଏଥିରେ 22 ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସରକାର। ବିଜେପି ଏତଲା ଦେଲା ପରେ ଜିଲ୍ଲାପାଳ କହିଲେ ରେକର୍ଡ ରୁମରୁ ଡୁପ୍ଲିକେଟ ଚାବି ମିଳିଛି। ହେଲେ ଆଜି ଯାଏଁ କାହିଁକି ରତ୍ନଭଣ୍ଡାର ଖୋଲି ପାରିଲା ନାହିଁ ? କାହିଁକି କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ?"