ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ହେଉଛି ସୁଦୃଢ଼ । ରାଷ୍ଟ୍ରପତି ଆସିବା ପୂର୍ବରୁ ଉଦଘାଟନ ହେବ ରମାଦେବୀ ପ୍ରେକ୍ଷାଳୟ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଭାଗିଦାରୀରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି । ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ ଅପେକ୍ଷାରେ ଅଛି ।
ଆସନ୍ତା 7 ତାରିଖ ଦିନ ଏହି ରମାଦେବୀ ଅଡିଟୋରିୟମ ଉଦଘାଟନ ହେବାର ଯୋଜନା ରହିଛି । ଏହି ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ରମାଦେବୀ ଅଡିଟୋରିୟମଟି ପ୍ରାୟ 17 କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ଏହି ଅଡିଟୋରିୟମଟି ସମ୍ପୂର୍ଣ୍ଣ କରାଯାଉଥିବା ବେଳେ 1000 ସିଟ କ୍ଷମତାରେ ଛାତ୍ରୀମାନଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏହା ସମେତ ରମାଦେବୀ ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକକୁ ମଧ୍ୟ ଭଙ୍ଗାଯାଇ ଏକ ନୂତନ ଫାଟକ ପ୍ରସ୍ତୁତ କରାଯାଉଛି । ଯାହା ଦୁଇଟି ଫାଟକ କରାଯାଇଛି । ଏହା ମଧ୍ୟ ଉଦଘାଟନ ଅପେକ୍ଷାରେ ରହିଛି । ଏହାସହ ଲାଇବ୍ରେରୀ ବିଲଡିଙ୍ଗ ଏବଂ ଛାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାକୁ ନେଇ ବିଶ୍ଵବିଦ୍ୟାଳୟ ଏବେ ଚଳଚଞ୍ଚଳ ।