ଭୁବନେଶ୍ବର:ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନେଇଛନ୍ତି । ରମାଦେବୀ କଲେଜ ନିକଟରେ ଥିବା ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ । ରମାଦେବୀ ମହିଳା ଡିଗ୍ରୀ କଲେଜକୁ ଏକ ବିଶ୍ୱବିଦ୍ୟାଳୟକୁ ନବୀକରଣ କରିବା ପରେ ଗୋଟିଏ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟିର ସୁପାରିଶ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି ।
ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀ ଗୁଡ଼ିକ ଦିନକୁ ମାତ୍ର ତିନି ଘଣ୍ଟା କରାଯାଉଛି । ଯାହା ସକାଳ ୭ଟା ସମୟରୁ 10 ଟା ପର୍ଯ୍ୟନ୍ତ ଚାଲୁଛି । ଏହା ପରେ ଯୁକ୍ତ ଦୁଇ ପାଠ ପଢିବା ପାଇଁ ଶ୍ରେଣୀଗୃହର ଅଭାବ ଦେଖାଦେଉଛି । ଏହାଦ୍ଵାରା ଯୁକ୍ତ ଦୁଇରେ ପାଠ ପଢୁଥିବା ପ୍ରାୟ 2400 ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଉଛି । ତେଣୁ କରି ଯୁକ୍ତ ଦୁଇକୁ ୟୁନିଟ 9 ବିଦ୍ୟାଳୟରେ ସାମିଲ କରାଯିବ । ଏହାସହ ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଭିତ୍ତିଭୂମିର ଉନ୍ନତି ତଥା ନୂତନ ଶ୍ରେଣୀଗୃହ ପ୍ରସ୍ତୁତି, ଅଡିଟୋରିୟମ୍, ଲାଇବ୍ରେରୀ, ବିଜ୍ଞାନ ଲାବୋରେଟୋରୀ, ହଷ୍ଟେଲ ଇତ୍ୟାଦି ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ଏନେଇ ଉଚ୍ଚଶିକ୍ଷା ସଚିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଏବଂ ରମାଦେବୀ ଯୁକ୍ତ ଦୁଇ କଲେଜର ପ୍ରିନ୍ସିପାଲ ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଶ୍ରେଣୀଗୃହରେ କିଛି ମାତ୍ରାରେ ଭିତ୍ତିଭୂମି ସଜାଡ଼ିଲେ କଳା ଏବଂ ବାଣିଜ୍ୟ ବିଭାଗ ସ୍ଥାନାନ୍ତରିତ ହୋଇପାରିବ । ଯାହା ଫଳରେ ସକାଳ 10ଟା ରୁ 5 ଟା ପର୍ଯ୍ୟନ୍ତ କ୍ଲାସ୍ କରିବାକୁ ସକ୍ଷମ ହୋଇପାରିବ ।