ଭୁବନେଶ୍ବର: ସୁଦୃଢ଼ ହେଉଛି ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି । ରାଷ୍ଟ୍ରପତି ଆସିବା ପୂର୍ବରୁ ଉଦ୍ଘାଟନ ହୋଇଛି ରମାଦେବୀ ପ୍ରେକ୍ଷାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପ୍ରେକ୍ଷାଳୟଟି ୧୭ କୋଟି ଟଙ୍କାର ଅଟକଳ ବ୍ୟୟ କରାଯାଇଥିବା ବେଳେ ଏଥିରେ ଏକା ସାଙ୍ଗରେ ୧ ହଜାର ଜଣ ବସିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ରମାଦେବୀ ବିଶ୍ଵବିଦ୍ୟାଳୟ ରାଜ୍ୟ ତଥା ଦେଶର ଏକ ନମ୍ବର ବିଶ୍ଵବିଦ୍ୟାଳୟ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।
ରାଷ୍ଟ୍ରପତି ଆସିବା ପୂର୍ବରୁ ଚଳଚଞ୍ଚଳ ହେଉଛି ରମାଦେବୀ ବିଶ୍ବବିଦ୍ୟାଳୟ । ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ଭିତ୍ତିଭୂମି ସୌନ୍ଦର୍ଯ୍ୟକୁ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାରଙ୍କ ଭାଗିଦାରିରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି । ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦ୍ଘାଟନ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ରମାଦେବୀ ଅଡିଟୋରିୟମଟି ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ଏହି ଅଡିଟୋରିୟମରେ ଏକା ସାଙ୍ଗରେ ୧ ହଜାର ଜଣ ବସିବାର କ୍ଷମତା ରହିଛି ।
ଏହି ଅଡିଟୋରିୟମ ଉଦ୍ଘାଟନ ସମୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, "ଏହି ମହିଳା କଲେଜକୁ ପ୍ରଥମ କରି ମହିଳା ବିଶ୍ଵବିଦ୍ୟାଳୟ କରାଯାଇଛି । ଆମ ରାଜ୍ୟର ଝିଅ ମାନଙ୍କୁ ସଶକ୍ତ କରିବା ପାଇଁ ଏହାକୁ ବିଶ୍ଵବିଦ୍ୟାଳୟ କରାଗଲା । ଏହାର ବିକାଶ ପାଇଁ ଯାହା ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । ରମାଦେବୀ ବିଶ୍ଵବିଦ୍ୟାଳୟ ରାଜ୍ୟ ତଥା ଦେଶର ଏକ ନମ୍ବର ବିଶ୍ଵବିଦ୍ୟାଲୟ ହେବ । ରମାଦେବୀରେ ରାଷ୍ଟ୍ରପତି ପାଠ ପଢ଼ୁଥିଲେ । ଦୀର୍ଘ ବର୍ଷ ପରେ ଆସୁଛନ୍ତି ନିଜ କଲେଜକୁ ।" ତେବେ ରାଷ୍ଟ୍ରପତିଙ୍କୁ ଏହା ଭଲ ଲାଗିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।