ଓଡିଶା

odisha

By

Published : Jul 29, 2023, 12:42 PM IST

ETV Bharat / state

ରମାଦେବୀରେ ନିମ୍ନମାନର କାମ, OPHWCକୁ ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

୩ ମାସ ପରେ ଉଚ୍ଚଶିକ୍ଷା ବିଭାଗର ତତ୍ପରତା । 7 ଦିନ ମଧ୍ୟରେ ନିର୍ମାଣର ଗୁଣବତ୍ତା ସମ୍ବନ୍ଧରେ ବିଭାଗକୁ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

Rama Devi University
Rama Devi University

ଭୁବନେଶ୍ବର:ରମାଦେବୀ ବିଶ୍ଵବିଦ୍ୟାଳୟରେ ନିମ୍ନମାନର କାମକୁ ନେଇ ତତ୍ପରତା ଦେଖାଇଛି ଉଚ୍ଚଶିକ୍ଷା ବିଭାଗ । 7 ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ବିଶ୍ବବିଦ୍ୟାଳୟର ପାଚେରୀ ନିର୍ମାଣ ସମ୍ବନ୍ଧରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରିପୋର୍ଟ ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ସୂଚନା ମୁତାବକ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନିର୍ମାଣ ହୋଇଥିଲା ୧୦୦ ଫୁଟ ଲମ୍ବ 12 ଫୁଟ ଉଚ୍ଚତାର ପାଚେରୀ । କିନ୍ତୁ ନିମ୍ନମାନର କାମ ଯୋଗୁଁ ପାଚେରୀ ନିର୍ମାଣ ହେବାର ମାତ୍ର ଦୁଇ ମାସ ପରେ ଭାଙ୍ଗି ଯାଇଥିଲା । ଯାହାକୁ ନେଇ ତତ୍ପରତା ପ୍ରକାଶ କରିଛି ବିଭାଗ । ବିଶ୍ଵବିଦ୍ୟାଳୟରେ ସମସ୍ତ କାର୍ଯ୍ୟ କରୁଥିବା ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନକୁ ଗୁଣାତ୍ମକ କାର୍ଯ୍ୟର ରିପୋର୍ଟ ମାଗିଛି ଉଚ୍ଚ ଶିକ୍ଷା ବିଭାଗ । ତେବେ 7 ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ନିର୍ମାଣର ଗୁଣବତ୍ତା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗକୁ ଏକ ବିସ୍ତୃତ ଭାବରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଫେବୃଆରୀ ମାସ ୧୦ ତାରିଖରେ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ରାଷ୍ଟ୍ରପତି ଆସିବା ପୂର୍ବରୁ ପାଚେରୀର ସମସ୍ତ ନିର୍ମାଣ କାମକୁ ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନକୁ ଦିଆଯାଇଥିଲା । କିନ୍ତୁ କାମ ଏତେ ନିମ୍ନମାନର ହୋଇଥିଲା ଯେ ବର୍ଷଟିଏ ମଧ୍ୟ ଏହା ତିଷ୍ଟି ପାରିଲା ନାହିଁ । ଶେଷରେ ପାଚେରୀଟି ଭୁଶୁଡ଼ି ପଡ଼ିଥିଲା । ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଗତ କିଛି ମାସ ତଳେ ବିଜେବି କଲେଜରେ କିଛି କାମ ବିଳମ୍ବ ହେବାରୁ ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମକୁ କୌଣସି ପ୍ରକଳ୍ପ କାମ ନ ଦେବା ଲାଗି କଠୋର ନିଷ୍ପତ୍ତି ନେଇଥିବା ବେଳେ କର୍ପୋରେସନର ଅନିୟମିତତା ପ୍ରତି ଉଚ୍ଚଶିକ୍ଷା ବିଭାଗ କାହିଁକି ଏତେ ଦିନ ପର୍ଯ୍ୟନ୍ତ ଚୁପ୍ ବସିଥିଲା ସେନେଇ ପ୍ରଶ୍ନ ଉଠୁଛି ।

ଏହା ମଧ୍ୟ ପଢନ୍ତୁ - ପରୀକ୍ଷା ସ୍ଵଚ୍ଛତାକୁ ନେଇ ପ୍ରଶ୍ନବାଚୀ, ରମାଦେବୀରେ ପରୀକ୍ଷାର୍ଥୀ ସାଜିଛନ୍ତି ଉପ-ପରୀକ୍ଷା ନିୟନ୍ତ୍ରକ

ଏହା ମଧ୍ୟ ପଢନ୍ତୁ- ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ, ଖୁବଶୀଘ୍ର ସମାଧାନ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ତେବେ କେବଳ ରମାଦେବୀ ବିଶ୍ବବିଦ୍ୟାଳୟ ନୁହେଁ ଏପରିକି ରାଜ୍ୟର ଅନେକ ବିଶ୍ବବିଦ୍ୟାଳୟରେ ଏହିଭଳି ନିମ୍ନମାନର କାମ କରାଯାଉ ଥିବାର ନଜରକୁ ଆସୁଛି । ସେହିପରି ଅନ୍ୟପଟେ ଜୁନ ୧୬ ତାରିଖର ରମାଦେବୀ ବିଶ୍ବବିଦ୍ୟାଳୟର ଭୁଶୁଡ଼ି ପଡ଼ିଥିବା ପାଚେରୀର ପୁନଃନିର୍ମାଣ ପାଇଁ ୧୩ ଲକ୍ଷ ୮୮ ହଜାର ୨୦୦ ଟଙ୍କା ମଞ୍ଜୁର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details