ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ରଘୁବର ଦାସ । ଏହି ଅବସରରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ବିଶ୍ବବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ ବୋଲି କହିଛନ୍ତି ରାଜ୍ୟପାଳ । ଏପଟେ ପ୍ରତିଷ୍ଠା ଦିବସରେ ଆସନ୍ତା ୫ ବର୍ଷୀୟା ଯୋଜନା ପ୍ରସ୍ତୁତ କରିଛି ରମାଦେବୀ ବିଶ୍ଵବିଦ୍ୟାଳୟ । ଭବିଷ୍ୟତ ଯୁବପୀଢି ମା' ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ ।
ରମାଦେବୀ ବିଶ୍ଵବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ କହିଛନ୍ତି, "ଏବେ ନାରୀମାନେ ପ୍ରାୟ ସବୁ କ୍ଷେତ୍ରରେ ବିପୁଳ ସଫଳତା ଅର୍ଜନ କରିବା ସହ ନେତୃତ୍ବ ନେଉଛନ୍ତି । ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅନେକ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଜାତୀୟ ଶିକ୍ଷାନୀତି ୨୦୨୦ ଏକ ପ୍ରଗତିଶୀଳ ପ୍ରୟାସ । ଜ୍ଞାନ ଆଧାରିତ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ। ଦକ୍ଷତା ଓ କୌଶଳ ବିକାଶଠୁ ଆରମ୍ଭ କରି ମାତୃଭାଷାରେ ଶିକ୍ଷାଦାନ ଏବଂ ନବସୃଜନ ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ମାଧ୍ୟମରେ ଦେଶ ଉଜ୍ଜଳ ଭବିଷ୍ୟତକୁ ଯାତ୍ରା କରିବ । ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ନାରୀଶକ୍ତିର ଗରିଷ୍ଠ ଭୂମିକା ରହିଛି । ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା ବେଶ୍ ଅର୍ଥପୂର୍ଣ୍ଣ ଓ ପ୍ରେରଣା ପ୍ରଦାୟକ । ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ବିଶ୍ବବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଭବିଷ୍ୟତର ଆହ୍ବାନ ଓ ଆବଶ୍ୟକତାକୁ ସାମ୍ନା କରିବାକୁ ପ୍ରସ୍ତୁତି ସଂପର୍କରେ ଆତ୍ମସମୀକ୍ଷା ହିଁ ଆଜିର ଅନୁଚିନ୍ତା ।" ମା' ରମାଦେବୀ ଚିର ପ୍ରେରଣାର ଉତ୍ସ । ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢ଼ିବାକୁ ରାଜ୍ୟପାଳ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟପାଳ ଆହୁରି କହିଛନ୍ତି, "ସଫଳତାରେ ଅତି ଉଲ୍ଲସିତ ହୁଅନାହିଁ କିମ୍ବା ବିଫଳତାରେ ଭାଙ୍ଗି ପଡନାହିଁ । ନିଜ ଉପରେ ଆସ୍ଥା ଓ ଭରସା ରଖ । ଅନ୍ୟ କାହା ସହିତ ନୁହେଁ, ନିଜ ସହ ପ୍ରତିଦ୍ବନ୍ଦିତା କର ।"
ଏହା ମଧ୍ୟ ପଢ଼ନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ ପାଳିତ, ନାକ୍ ମୂଲ୍ୟାୟନ ନେଇ ହେଲା ଚର୍ଚ୍ଚା
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦକ୍ଷିଣ କୋରିଆର ବିୟୋପସା ମନ୍ଦିରର ମୁଖ୍ୟ ସିମ୍ ସାନ୍ କହିଛନ୍ତି, "ବିଶ୍ବରେ ବିଜ୍ଞାନରେ ମହିଳାମାନଙ୍କ ଅବଦାନ ସର୍ବାଧିକ । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ମାନବ କଲ୍ୟାଣ ପାଇଁ କାମ କରିବା ଉଚିତ । ବୌଦ୍ଧ ଧର୍ମର ଆଦର୍ଶ ହିଂସା ଓ ଘୃଣାକୁ ଦୂର କରି ଆନନ୍ଦମୟ ପୃଥ୍ବବୀ ନିର୍ମାଣ କରିବା ପାଇଁ ଉଦ୍ଦିଷ୍ଟ ବିଶ୍ବ ଏକ ପୁଷ୍ପ ସଦୃଶ ଏହାକୁ ପୁଷ୍ପଟିତ କରିବା ସମସ୍ତଙ୍କର ଧର୍ମ ହେବା ଉଚିତ ।" ଅନ୍ୟତମ ସମ୍ମାନୀତ ଅତିଥି ସ୍ମୃତି ମହାପାତ୍ର ଆଜି ବିଶ୍ବ ଭିନ୍ନକ୍ଷମ ଦିବସକୁ ନେଇ କହିଛନ୍ତି, "ବିଶ୍ବରେ ଶତକଡା ୧୫ ଭାଗ ଲୋକ ଭିନ୍ନକ୍ଷମ ଅଟନ୍ତି । ଓଡ଼ିଶାରେ ୬୦ରୁ ୭୦ ଲକ୍ଷ ଲୋକ ଭିନ୍ନକ୍ଷମ ଅଟନ୍ତି । ଆସ୍ତିବାଚକ ଦୃଷ୍ଟିଭଙ୍ଗୀ ଓ ନୀତି ଦ୍ବାରା ଏମାନଙ୍କ ସମସ୍ୟାର ସମାଧାନ କରାଯାଇପାରିବ ।" ନିଜର ସଙ୍ଘର୍ଷର ଉଦାହରଣ ଦେଇ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ, "କେହି ସହଯୋଗ ନକଲେ ମଧ୍ୟ ବିଶ୍ବାସ ହରାଇବା ଉଚିତ ନୁହେଁ । ନିଜ ପ୍ରତିଜ୍ଞରେ ଅଟଳ ରହିବା ଉଚିତ ।"