ଭୁବନେଶ୍ବର: ଆସୁଛି 2024 ବିଧାନସଭା ଓ ଲୋକସଭା ନିର୍ବାଚନ । ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିଛି । ଜାନୁଆରୀ 22 ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅତିଥି ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଡ ପ୍ରଶ୍ନ ହେଲା ରାମ ମନ୍ଦିରକୁ ପ୍ରସଙ୍ଗ କରି ବିଜେପି 2024 ନିର୍ବାଚନ ବୈତରଣୀ ପାର ହୋଇପାରିବ କି ? ନା ଏହା ଏକ ଚିରାଚରିତ ପ୍ରସଙ୍ଗ ହୋଇ ରହିଯିବ ବିଜେପି ପାଇଁ । ଏବେ ଏହାକୁ ନେଇ ରାଜନୈତିକ ମହଲରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।
ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, 2024 ନିର୍ବାଚନ ଉପରେ ଓ 5ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରାମ ମନ୍ଦିର ପ୍ରତିଷ୍ଠାର ପ୍ରଭାବ ପଡିବାକୁ ଯାଉଛି । କାରଣ ରାମ ମନ୍ଦିର ସହ ଯୋଡି ହୋଇରହିଛି ଉଗ୍ରଜାତୀୟତାବାଦ । ମୋ ମାଟି ମୋ ଦେଶ ନାରା ଦେଇ ବିଜେପି ଯେଉଁ କଳସ ଯାତ୍ରା କରିଛି ଆଗାମୀ ଦିନରେ ତାହା ନୂଆ ଇତିହାସ ଲେଖିବାକୁ ଯାଉଛି । ଭାରତର ସ୍ବାଧୀନତା ସଂଗ୍ରାମରେ ବିଜେପି ଓ ସଂଘ ପରିବାରର କୌଣସି ଅବଦାନ ନଥିଲେ ମଧ୍ୟ ବୀର ସଂଗ୍ରାମୀ ମାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ ନୂଆ ଇତିହାସ ଲେଖିବାକୁ ଯାଉଛି । ପୁଣି ରହିଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହା ଦେଶର ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି । 2024 ନିର୍ବାଚନ ଉପରେ ଏହାର ସିଧାସଳଖ ପ୍ରଭାବ ରହିବ ବୋଲି କହିଛନ୍ତି ରବି ଦାସ । କିନ୍ତୁ ଏହାକୁ ମୁକାବିଲା ପାଇଁ କଂଗ୍ରେସ ଜାତି ଭିତ୍ତିକ ଜନଗଣନାକୁ ଗୁରୁତ୍ବ ଦେଉଛି । ଯଦି ଏହା କାମ ଦିଏ ତେବେ ରାମ ମନ୍ଦିର ପ୍ରସଙ୍ଗ ଭଣ୍ଡୁର ହୋଇଯିବାର ଆଶଙ୍କା ମଧ୍ୟ ରହିଛି ।
ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ବଢିବା ଦରକାର, କିନ୍ତୁ ସରକାରଙ୍କ ନୁହେଁ: ମନମୋହନ ସାମଲ
ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାମ ହେଉଛନ୍ତି ସାରା ଭାରତର । ଦେଶର ଅଗଣିତ ଜନତାଙ୍କ ପ୍ରଭୁ ହେଲେ ଶ୍ରୀରାମ । ରାମଙ୍କୁ ଭାଗ ଭାଗ କରାନଯାଉ । ରାଜନୀତି ନାଁରେ ରାମଙ୍କୁ ଭାଗ ଭାଗ ନକରିବା ଉଚିତ । ସେ ସମସ୍ତଙ୍କର । ରାମ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ । ତେଣୁ ନିର୍ବାଚନ ଉପରେ କାହିଁକି ପ୍ରଭାବ ପଡିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ବିଜେପି ଯେଉଁ ଟ୍ରମ୍ପକାର୍ଡ ଖେଳିବାକୁ ଯାଉଛି, 2024 ନିର୍ବାଚନରେ ତାର କୌଣସି ପ୍ରଭାବ ପଡିବ ନାହିଁ । କାରଣ ରାମ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହଁନ୍ତି ବୋଲି ଶରତ କହିଛନ୍ତି ।"