ଭୁବନେଶ୍ବର: ଲୋକଙ୍କ ଜୀବନ ବଞ୍ଚାଇବାକୁ କମିଶନରେଟ ପୋଲିସର ନିଆରା ଉଦ୍ୟମ । 'ରକ୍ତବନ୍ଧୁ' କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ କରି ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି ରକ୍ତବନ୍ଧୁ ମାନେ । ଏପରି ମହତ କାର୍ଯ୍ୟ ପାଇଁ କମିଶନରେଟ ପୋଲିସ ପକ୍ଷରୁ "ରକ୍ତବନ୍ଧୁ ସମ୍ବର୍ଦ୍ଧନା ସମାରୋହ" ମଧ୍ୟ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରକ୍ତ ଦାନ କରିଥିବା ରକ୍ତବନ୍ଧୁ ମାନଙ୍କୁ ସେମାନଙ୍କର ତ୍ୟାଗ ଓ ମହାନତା ପାଇଁ ସମ୍ମାନ ଦିଆଯାଇଛି । ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଗୁରୁବାର ଏହା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।
ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଯୋଗେଇ ସେମାନଙ୍କ ଜୀବନ ବଞ୍ଚିବାର ଲକ୍ଷ୍ୟ ନେଇ ଗତ ୨୦୨୨ରୁ କମିଶନରେଟ ପୋଲିସ ପକ୍ଷରୁ ଏହା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଯାବତ 'ରକ୍ତବନ୍ଧୁ' କାର୍ଯ୍ୟକ୍ରମ ମାଧ୍ୟମରେ ୬୮୦ ୟୁନିଟ ରକ୍ତଦାନ କରାଯାଇଛି । କେବଳ ପୋଲିସ କର୍ମଚାରୀ ନୁହନ୍ତି, ଯୁବକ ମାନେ ସାମିଲ ହୋଇ ଏହାକୁ ସଫଳ କରିଛନ୍ତି । ଦୂର ଦୂରାନ୍ତରୁ ଭୁବନେଶ୍ୱର ଆସୁଥିବା ରୋଗୀ ମାନେ ଯଦି ରକ୍ତ ପାଇବାରୁ ନିରାଶ ହୁଅନ୍ତି ସେତେବେଳେ କମିଶନରେଟ ପୋଲିସର 'ରକ୍ତବନ୍ଧୁ' କାର୍ଯ୍ୟକ୍ରମ ସେମାନଙ୍କୁ ରକ୍ତ ଯୋଗାଇଥାଏ । 8093828108 ନମ୍ବରରେ ଯୋଗାଯୋଗ କଲେ ରକ୍ତ ପାଇପାରନ୍ତି ରୋଗୀ । ରକ୍ତର ଅଭାବ ପାଇଁ କଟକ ଓ ଭୁବନେଶ୍ୱର ସହରରେ କାହାର ମୃତ୍ୟୁ ନହେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଖୁବ ଶୀଘ୍ର କଟକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏନେଇ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ''ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବା ବେଳେ ଏଠାରେ ସବୁବେଳେ ଜନ ଗହଳି ସହ ଅଧିକରୁ ଅଧିକ ଅବଶ୍ୟକତା ରହିଥାଏ । ସେଥିମଧ୍ୟରୁ ରକ୍ତର ଅବଶ୍ୟକତା ଅଧିକ ଥାଏ । ତେଣୁ ରକ୍ତଦାନକୁ ଅଧିକ ତ୍ଵରାନିତ୍ଵ କରିବା ପାଇଁ ୨୦୨୨ ଜାନୁଆରୀ ୫ରେ ଏହି ରକ୍ତବନ୍ଧୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯାହା ଲୋକଙ୍କୁ ରକ୍ତ ପ୍ରଦାନ ଦିଗରେ ସଫଳ ହୋଇଛି । ତେଣୁ ଖାଲି ଭୁବନେଶ୍ୱର ନୁହେଁ ଏହି କାର୍ଯ୍ୟକ୍ରମ କିଭଳି ପ୍ରତି ଜିଲ୍ଲା କାର୍ଯ୍ୟାଳୟରେ କରାଯିବ ସେଠି ପ୍ରତି ଧ୍ୟାନ ଦିଆଯିବ । ଆଉ ଏଥିପାଇଁ ଅଧିକରୁ ଅଧିକ ବ୍ଲଡ଼ କ୍ୟାମ୍ପ ମଧ୍ୟ କରାଯିବ ।''