ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଅସହ୍ୟ ଗୁଳିଗୁଳି ସହ ଗରମ । ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଜାରି ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ଦିନର ତାପମାତ୍ରା ରହିବ । ଆସନ୍ତା ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହେବାର ସମ୍ଭାବନା ରହିଛି । ବିଶେଷଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରା ସହ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି । ଖରା ଓ ଗୁଳୁଗୁଳିର ପ୍ରବାହକୁ ନେଇ ଦିନ ୧୧ ଟାରୁ ତିନିଟା ପର୍ଯ୍ୟନ୍ତ ଘରୁ ଆବଶ୍ୟକ ନଥିଲେ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ତେବେ ରାଜ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଏହି ସମୟରେ କିଛି ସ୍ଥାନରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା , ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ।