ରାସ୍ତା ଉପରେ ଆଣ୍ଠିଏ ପାଣି : ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକ , ଯମ ଯନ୍ତ୍ରଣା ଭୋଗୁଛନ୍ତି ଲୋକ ଖୋର୍ଦ୍ଧା: ପାଦେ ପାଦେରେ ବିପଦରେ ପରିପୂର୍ଣ୍ଣ ପୂର୍ତ୍ତ ରାସ୍ତା । ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ଯାତ୍ରୀ । ଅସରାଏ ବର୍ଷାରେ ସିମୋର ବାଙ୍କି ପୂର୍ତ୍ତ ବିଭାଗ ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ମାରୁଛି । ସିମୋର ବାଙ୍କି ପୂର୍ତ୍ତରାସ୍ତା ଉନ୍ନତିକରଣ ପାଇଁ ସରକାର 11 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ଯୟବରାଦ କରିଛନ୍ତି । କିନ୍ତୁ ଠିକାଦାରଙ୍କ ମନଇଚ୍ଛା କାର୍ଯ୍ୟ ଯୋଗୁଁ ଏହି ରାସ୍ତାର ଗଁପୁର ଛକରେ ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ସୁଧୁରୁନି ଏହି ରାସ୍ତାର ଅବସ୍ଥା । ଖାଲଖମାରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି । ସିମୋରଠାରୁ ବାଙ୍କିକୁ ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ପ୍ରଶାସନିକ, ରାଜନୈତିକ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ ସଂଯୋଗ କରୁଥିବା ଏହି ରାସ୍ତା ମରାମତି ନେଇ ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ଶୁଣିଲାନି ପ୍ରଶାସନ, କାମରେ କରି ଦେଖାଇଲା ସାମାଜିକ ସଙ୍ଗଠନ
ବର୍ଷା ଦିନରେ ରାସ୍ତା ଗୁଡିକର ଅବସ୍ଥା ଏତେ ଶୋଚନୀୟ ହୋଇ ପଡ଼ୁଛି ଯେ, କେବଳ ଗ୍ରାମବାସୀ ନୁଁହ ବରଂ ଶହଶହ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ସରକାର କୋଟିକୋଟି ଟଙ୍କା ନିର୍ମାଣ ପାଇଁ ସରକାର ଖର୍ଚ୍ଚ କରୁଥିବା ବେଳେ ଠିକାଦାରଙ୍କ ମନ ଇଛା କାର୍ଯ୍ୟ ଯୋଗୁଁ ଲୋକେ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ ମଧ୍ୟ ଏନେଇ କୌଣସି ଠୋସ ପଦକ୍ଷେପ ନେଉଥିବା ପ୍ରତୀତ ହେଉନି । ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମରେ ଖର୍ଚ୍ଚ କରାଯାଉଛି ହେଲେ ଅବସ୍ଥା ସୁଧୁରୁନି ।
ଯାହା ଫଳରେ ସିମୋର ଗ୍ରାମ ନିକଟରେ ଥିବା ମୁଖ୍ଯ ରାସ୍ତା ଅଞ୍ଚଳର ରାସ୍ତା ସବୁ ଖାଲଖମାରେ ଭର୍ତ୍ତି ହୋଇ ରହିଛି । ଟିକିଏ ବର୍ଷା ହେଲେ ପାଣି ଜମୁଛି । ଲୋକଙ୍କ ଯାତାୟତରେ ନାହିଁ ନଥିବା ଅସୁବିଧା ହେଉଛି । ଏହାଦ୍ୱାରା ଛାତ୍ରଛାତ୍ରୀ ଯାତ୍ରାୟତରେ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜୁଛି । ରାସ୍ତାର ଦୂରାବସ୍ଥା ଯୋଗୁଁ ପିଲାମାନେ ବିଳମ୍ବରେ ସ୍କୁଲ୍ରେ ପହଞ୍ଚୁଛନ୍ତି । ଦୁଇ ଚକିଆ ଯାନ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ ଏହି ରାସ୍ତା ଦେଇ ଯିବା ବେଳେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି । ଏପରିକି ଏଠାରୁ ବର୍ଷା ପାଣି ନିଷ୍କାସନର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଏନେଇ ଜିଲ୍ଲା ପ୍ରଶାସନକୁ ଯେତେ ଗୁହାରୀ କଲେ ମଧ୍ୟ କୌଣସି ଲାଭ ମିଳୁନଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ,ଖୋର୍ଦ୍ଧା