ଭୁବନେଶ୍ବର: ଗତ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଦେଖାଯାଇଛି । ସେପଟେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରେ ସର୍ବାଧିକ 2 ଏମ ଏମ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତକାଲି ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡି ଦେଖିବାକୁ ମିଳିଛି । ନୟାଗଡ଼ ସମେତ ରାଜ୍ୟର ଅନ୍ୟ 14ଟି ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ପରିଲିଖିତ ହୋଇଛି ।
ପୂର୍ବାଳୀ ତରଙ୍ଗାୟିତ ବାୟୁ ଯୋଗୁ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ସେହିଭଳି ଆଜି ଆକାଶ ବିଶେଷ କରି ମେଘାଚ୍ଛନ୍ନ ରହିଛି । ଆସନ୍ତାକାଲି ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧାରଣର ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀର କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଠିକ ସେହିପରି ୧୯ ତାରିଖ ବେଳକୁ ବର୍ଷାର ପ୍ରଭାବ କମିବ ଓ ୨୦ ତାରିଖରେ କୌଣସି ସ୍ଥାନରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଏଥିସହ ଆଗକୁ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୪ ଘଣ୍ଟାରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିବ । କୁହୁଡ଼ିକୁ ନଜରରେ ରଖି ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡ଼ାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ଘନ କୁହୁଡି ପରିଲିକ୍ଷିତ ହୋଇଥିବା ବେଳେ ସମତଳ ଅଞ୍ଚଳର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୨.୪ ସୁନ୍ଦରଗଡ଼ରେ ରେକର୍ଡ ହୋଇଛି । ସେହିପରି ପାହାଡିଆ ଅଞ୍ଚଳର ଜିଲ୍ଲା ଗୁଡିକରେ କୋରାପୁଟରେ ୯.୨ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କଟକରେ ୨୭ .୮ ଓ ଭୁବନେଶ୍ୱରରେ ୨୭.୦ ତାପମାତ୍ରା ରେକର୍ଡ ହୋଇଛି ।