ଭୁବନେଶ୍ବର:ଆସନ୍ତା ଶୁକ୍ରବାର ଠାରୁ ଭୁବନେଶ୍ବର ଏବଂ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି । ରାଉରକେଲା-ଭୁବନେଶ୍ବର ଗଡିବ ଦୁଇଟି ସ୍ବତନ୍ତ୍ର ଟ୍ରେନ । ଏହି ଟ୍ରେନ ହକି ବିଶ୍ବକପ ଅବଧି ମଧ୍ୟରେ ଚଳାଚଳ କରିବ । ନିୟମିତ ଚଳଚଳ କରୁଥିବା ୫ଟି ଟ୍ରେନ ସହ ଏହି ଦୁଇଟି ଟ୍ରେନ ଚଳାଚଳ କରିବ ।
ଟ୍ରେନ ନମ୍ବର 02834 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ ଭୁବନେଶ୍ୱରରୁ 14 ରୁ 30 ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ଭୁବନେଶ୍ବରରୁ ରାତି 8ଟା25ରେ ଛାଡି ରାଉରକେଲା ଯାତ୍ରା କରିବ ।
ଫେରିବା ମାର୍ଗରେ 02833 ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ 15 ରୁ 31 ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ରାତି 11ଟା25 ମିନିଟରେ ରାଉରକେଲାରୁ ଛାଡି ଭୁବନେଶ୍ୱର ଯାତ୍ରା କରିବ।
ଏହା ମଧ୍ୟ ପଢନ୍ତୁ: ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ରହିଛି ଅନେକ ବିଜୟ ଓ କାଳଜୟୀ କାହାଣୀ: ଅନୁରାଗ ଠାକୁର
ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ତିନିଟି ଏସି -3 ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବାକୁ ଥିବାବେଳେ ଏହା ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୋଳ, ସମ୍ବଲପୁର ସିଟି ଏବଂ ଝାରସୁଗୁଡା ମଧ୍ୟରେ ରହଣି କରିବ।
02836/02835 ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ 14 ରୁ 31 ଜାନୁୟାରୀ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ । ଏହି ଟ୍ରେନ ପୁରୀ ଠାରୁ ସକାଳ 05ଘ.15ମି.ରେ ଛାଡି ରାଉରକେଲା ଠାରେ ଅପରାହ୍ନ 12ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ରାଉରକେଲା ଠାରୁ ଅପରାହ୍ନ 01ଘ.30ମି.ରେ ଛାଡି ପୁରୀ ଠାରେ ରାତ୍ରୀ 10ଘ.30ମି.ରେ ପହଞ୍ଚିବ ।