ଭୁବନେଶ୍ବର:କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟଣା । ଦୁର୍ଘଟଣାର 14 ଘଣ୍ଟା ପରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା ଡାଉନ ଲାଇନ । ରାତି 8ଟା ସୁଦ୍ଧା ଓଭର ହେଡ ଇକ୍ୟୁପମେଣ୍ଟ ଅନ୍ ହୋଇଥିବା ବେଳେ ରାତି ସାଢେ 11ଟା ପାଖାପାଖି ଅପ୍ ଲାଇନ ଫିଟ୍ ହୋଇଥିଲା । ଏହାସହ ଉଭୟ ଅପ୍ ଆଣ୍ଡ ଡାଉନ ରେଳ ଲାଇନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଥିଲା । ଏହା ଥିଲା ଏକ ବଡ ଅପରେସନ । ଆଉ ଏଭଳି ଅପରେସନ ପାଇଁ ସବୁବେଳେ ପ୍ରସ୍ତୁତ ଥାଏ ରେଳବାଇ ।
ତେବେ ଅନ୍ୟପଟେ ସିଆରଏସ ବା କମିଶନର ଅଫ ରେଲୱେ ସେଫଟିକୁ ତଦନ୍ତ ଦାୟୀତ୍ବ ଦିଆଯାଇ ଥିବା ବେଳେ ଏହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ଵାଧୀନ ତଦନ୍ତକାରୀ ସଂସ୍ଥା । ଦୁର୍ଘଟଣାର ଅନେକ କାରଣ ଥାଇପାରେ । କିନ୍ତୁ ବର୍ତ୍ତମାନ ଗୁଜବ ଉପରେ ବିଶ୍ବାସ କରିବା ଠିକ୍ ହେବ ନାହିଁ । ଟେକନିକାଲ ଇନକ୍ବାରୀ ହେଲେ ଆଗକୁ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକାଯାଇପାରିବ । ଏନେଇ 10ରୁ 12 ଦିନ ଭିତରେ ତଦନ୍ତ ରିପୋର୍ଟ ଦେବ ସିଆରଏସ । ଏହାପରେ ଜଣାପଡିବ ଦୁର୍ଘଟଣାର ବାସ୍ତବ କାରଣ । ଯାତ୍ରୀବାହୀ ଟ୍ରେନ ଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ଏଲଏଚବି ବା 'ଲିଙ୍କେ ହଫମ୍ୟାନ ବସ୍କ' କପଲିଙ୍ଗ ଥିବା କୋଚ ବ୍ୟବହାର କରାଯାଉଛି । ଏହି କୋଚ ଗୁଡ଼ିକ ଦୁର୍ଘଟଣା ହେଲେ ଗୋଟିଏ ଉପରେ ଆଉ ଗୋଟିଏ ଚଢିବ ନାହିଁ । ମାଲବାହୀ ଟ୍ରେନରେ ଏହି ସୁରକ୍ଷା ବ୍ୟବସ୍ଥା ନାହିଁ । କିନ୍ତୁ ଆଗାମୀ ଦିନରେ ଏ ନେଇ ରେଳବାଇ ପଦକ୍ଷେପ ନେବ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ ବିଶ୍ବଜିତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।