ଭୁବନେଶ୍ବର: କମର୍ସିଆଲ ପାର୍ସଲ ପାଇଁ ଲାଞ୍ଚ କାରବାର । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହାତରେ ଧରା ପଡ଼ିଲେ ରେଳ କର୍ମଚାରୀ । ଝାରୁସୁଗୁଡାରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ରେଳ କମର୍ସିଆଲ କ୍ଲର୍କ ଗୁଞ୍ଜନ କୁମାର । ଏନେଇ ୫ ହଜାର ଲାଞ୍ଚ ଟଙ୍କା ସହ ଟ୍ରାପ କରିଛି ସିବିଆଇ । ଏନେଇ ତାଙ୍କୁ ଝାରୁସୁଗୁଡାରୁ ଆଣି ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର ପରେ ତାଙ୍କୁ ଗିରଫ କରି ପିସି ଆକ୍ଟରେ କୋର୍ଟଚାଲାଣ କରାଯାଇଛି ।
ସିବିଆଇର ସୂଚନା ମୁତାବକ, ଝାରସୁଗୁଡ଼ା ଷ୍ଟେସନରେ କମର୍ସିଆଲ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି ବିହାରର ଗୁଞ୍ଜନ କୁମାର । ରେଳ ଯୋଗେ ଟ୍ରାନ୍ସପୋର୍ଟ ହେଉଥିବା କମର୍ସିଆଲ ଜିନିଷ ତାଙ୍କ ବିଭାଗ ଅଧିନରେ ଆସେ । ଅନେକ ଜିନିଷ କମର୍ସିଆଲ ଭାବେ ଟ୍ରେନ ଯୋଗେ ଚାଲାଣ ହୋଇଥାଏ । ଏନେଇ ଅନେକ ବ୍ୟବସାୟୀ ସେମାନଙ୍କର ପାର୍ସଲ ଟ୍ରେନ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇଥାନ୍ତି । ଏପରିକି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଅନେକ ବଡ଼ ବଡ଼ ପାର୍ସଲ ଜରିଆରେ ଟ୍ରାନ୍ସପୋର୍ଟ କରାଯାଇଥାଏ । ଯାହର ଦାୟିତ୍ବ କମର୍ସିଆଲ କ୍ଲର୍କ ପାଖରେ ଥାଏ ।
ତେବେ ଅଭିଯୋଗ ଅନୁସାରେ ପାର୍ସଲ ଟ୍ରାନ୍ସପୋର୍ଟ ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ କମର୍ସିଆଲ କ୍ଲର୍କ ଗୁଞ୍ଜନ କୁମାର । ଝାରୁସୁଗଡା ଷ୍ଟେସନରେ ଅନଲୋଡ ଓ ଲୋଡ ହେବା ସମୟରେ ଓଜନ ଓ ପ୍ୟାକିଂ ସଠିକ ଭାବେ ମାଲ ସପ୍ଲାଇ ପାଇଁ ହେଲେ ଲାଞ୍ଚ ଦେବାକୁ ପଡ଼ିବ ବୋଲି ସେ କହିଥିଲେ । ନଚେତ ଟ୍ରାନ୍ସପୋର୍ଟ ବେଳେ ଜିନିଷ ନଷ୍ଟ ହେବାର ସୁଯୋଗ ଥାଏ ବୋଲି ସେ କହିଥିବା ଅଭିଯୋଗ ହୋଇଛି । ଗୁରୁତ୍ବ ଦେଲା ଭଳି ଟ୍ରାନ୍ସପୋର୍ଟ ନକଲେ ଜିନିଷ ଡ୍ୟାମେଜ ହେବାର ଭୟ ଥାଏ । ତେଣୁ ବ୍ୟବସାୟୀ ଜଣ ରୀତିମତ ଜିନିଷ ସପ୍ଲାୟ କରୁଥିବାରୁ ସେ ତାଙ୍କୁ ଲାଞ୍ଚ ଦେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।