ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି,ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଭିନ୍ନ ଯୋଜନାର ଲୋକାର୍ପଣ କରିବା ସହ ବିଜେଡ଼ି ନିଜର ପ୍ରଚାର ପ୍ରସାର ଜାରି ରଖିଛି । ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଧାର କରି ପ୍ରଚାର ପ୍ରସାର କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚଳିତ ମାସ 24 ତାରିଖରେ ଓଡିଶା ଗସ୍ତରେ ଆସି ସରକାରୀ କାର୍ଯ୍ୟକ୍ରମ ସହ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହାରି ଭିତରେ ପଛରେ ପଡ଼ିନାହିଁ କଂଗ୍ରେସ । 'ଭାରତ ଯୋଡ ଯାତ୍ରା' ପରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ଆଧାର କରି ଓଡିଶାବାସୀଙ୍କ ବିଶ୍ୱାସଭାଜନ ହେବାକୁ ପ୍ରଚେଷ୍ଟା ଆରମ୍ଭ କରିଛି ଦଳ । ସବୁଠୁ ବଡ଼ କଥା ହେଲା, 2024 ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଓଡିଶା ଆସି ନିର୍ବାଚନୀ ପ୍ରଚାର ବିଗୁଲ ବଜାଇବେ । ସେଥିପାଇଁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ଼ ଚେଲ୍ଲା କୁମାର । ଶରତଙ୍କ କହିବା ଅନୁଯାୟୀ, "ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରାଯିବ । ଆସନ୍ତା ଜାନୁଆରୀ ମାସରେ ରାହୁଲ ଓଡିଶା ଆସିପାରନ୍ତି।"
ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ରାହୁଲ ଗାନ୍ଧୀ ଓଡିଶା ଆସିବା ନେଇ ପିସିସି ସଭାପତି ଦଳର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର ପାଇଁ ଭୁବନେଶ୍ବର ଆସିବେ। ଭୁବନେଶ୍ୱରରେ ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେବେ ରାହୁଲ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ସାରା ଓଡିଶାରୁ ଛାତ୍ର, ଯୁବକ, ମହିଳା କର୍ମୀ ଭୁବନେଶ୍ୱର ଆସିବେ । 2024 ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ରାହୁଲ। ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଆସିବେ। ଓଡ଼ିଶାରେ ଆମେ ଏକାଠି ହୋଇ ଲଢ଼ିବୁ।"