ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ନୂଆ ନିୟମ । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରି ଦଳର ନେତାଙ୍କ ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା । କ୍ରମାଗତ ଭାବେ ତିନୋଟି ନିର୍ବାଚନ ହାରିଥିଲେ ଏଥର ଆଉ ଟିକେଟ ମିଳିବ ନାହିଁ ବୋଲି ଘୋଷଣା କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ ଓ ପ୍ରଦେଶ ମୁଖ୍ୟଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀ ଚୟନ ସମୟରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଏହାକୁ ଆଧାର କରି ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି।
ପ୍ରାର୍ଥୀ ଚୟନର ଏହି ନୂଆ ଫର୍ମୁଲାକୁ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ସ୍ୱାଗତ କରିଛନ୍ତି। ତିନି ଥର କାହିଁକି ଏକାଧିକ ଥର ନିର୍ବାଚନ ହାରୁଥିବା ନେତାଙ୍କୁ ଆଉ କଂଗ୍ରେସରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଯିବା ଉଚିତ ନୁହେଁ ବୋଲି ସେମାନେ ମତ ରଖିଛନ୍ତି । ଦଳର ବରିଷ୍ଠ ନେତା ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ସହ ଏକମତ ହୋଇଛନ୍ତି। ଏହାସହ କହିଛନ୍ତି ଯେ, ଯେଉଁମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଜଡିତ ନାହାଁନ୍ତି ସେମାନଙ୍କୁ ଟିକେଟ ଦିଆଯିବା ଉଚିତ ନୁହେଁ। ଯେଉଁମାନେ ବାରମ୍ବାର ହାରୁଛନ୍ତି ତାହା ପଛର କାରଣ ସେମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ନାହାଁନ୍ତି । ଲୋକଙ୍କ ସମସ୍ୟା ସହ ଜଡିତ ହେଉ ନାହାଁନ୍ତି ତେଣୁ ସେମାନଙ୍କ ଟିକେଟ କାଟ୍ କରିବା ଉଚିତ ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି । ଯେଉଁମାନେ ତିନିଥର ହାରିଛନ୍ତି ସେମାନଙ୍କୁ ଦଳର ସଙ୍ଗଠନ ଦାୟିତ୍ୱ ନ୍ୟସ୍ତ କରାଯିବ ମାତ୍ର ଟିକେଟ ଦିଆଯିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା।