ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଏକଜୁଟ ହେଉଛନ୍ତି ବିରୋଧୀ ଦଳ । ସାମୁଖ୍ୟ ଗଠନ କରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମାଲୋଚନା କରୁଛନ୍ତି ବିରୋଧୀ । ହେଲେ ଏହି ବିରୋଧୀ ସାମୁଖ୍ୟରୁ ନିଜକୁ ଦୂରେଇ ରଖିଛି ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକ । ଜାତୀୟ ସ୍ତରର ଆଦର୍ଶଗତ ରାଜନୀତିକୁ ବିଜେଡି ଚାହୁଁନାହିଁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।
ପ୍ରତ୍ୟେକ ଘଟଣାରେ ଟ୍ୱିଟ କରି ନିଜ ମତ ରଖନ୍ତି ବରିଷ୍ଠ ରାଜନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶରେ ରାହୁଲ ପ୍ରକରଣକୁ ନେଇ ଝଡ଼ ବହୁଥିବାବେଳେ ଅସମ୍ଭବ ନୀରବତା ଆପଣେଇଛନ୍ତି ନବୀନ । ବିରୋଧୀ ଏକଜୁଟ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ହେଲେ ନବୀନ କିମ୍ବା ତାଙ୍କ ଦଳର ନେତା ପଦେ ଏବାବଦରେ କହୁନାହାନ୍ତି । ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼େଇ ଜାରୀ ରହିବ ବୋଲି ବିରୋଧୀ କହୁଛନ୍ତି । କିନ୍ତୁ ବିଜେଡି ଚୁପ ରହିଛି ।
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ଜାତୀୟ ସ୍ତରରେ ଅଣ ବିଜେପି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ସେଥିରେ ଦୁଇଟି ଦଳ ଓ ଏହାର ନେତା ସାମିଲ ହୋଇନାହାନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦଳ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି । ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ରାଜନେତା । ଯିଏ ଓଡ଼ିଶାରେ ଲଗାତାର 5 ଥର ମୁଖ୍ୟମନ୍ତ୍ରୀ ରହିଲେଣି । ବର୍ତ୍ତମାନ ସମୟରେ ସେ ଦେଶର ବରିଷ୍ଠତମ ମୁଖ୍ୟମନ୍ତ୍ରୀ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ ରହିଛନ୍ତି । ନବୀନ ଚୁପ ରହିବା କେନ୍ଦ୍ରୀୟ ନେତୃତ୍ୱ ବା ବିଜେପିକୁ ନିରବ ସମର୍ଥନ ଯୋଗାଉଛି ।