ଓଡିଶା

odisha

ETV Bharat / state

ଲୋକ କଳା ମାଧ୍ୟମରେ ସରକାରୀ ଯୋଜନା ପ୍ରଚାର ପ୍ରସାର ହେବ - odisha govt scheme

ଓଡ଼ିଶାର ଲୋକକଳାକୁ ସହଜରେ ଜନାଦୃତ ହେବା ପାଇଁ ଏଭଳି ପଦକ୍ଷେପ ନେଇଛି ସଂସ୍କୃତି ବିଭାଗ । ଲୋକକଳା ଏବଂ ପାରମ୍ପରିକ କଳା ପରିବେଷଣ ଦ୍ବାରା ସରକାରଙ୍କ ସମସ୍ତ ଯୋଜନା ଗୁଡିକ ସମାଜର ସବୁ ସ୍ତରରେ ଓ ସବୁ ଅଞ୍ଚଳରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଅଧିକ ପଢନ୍ତୁ

ଲୋକ କଳା ମାଧ୍ୟମରେ ସରକାରୀ ଯୋଜନା ପ୍ରଚାର ପ୍ରସାର ହେବ
ଲୋକ କଳା ମାଧ୍ୟମରେ ସରକାରୀ ଯୋଜନା ପ୍ରଚାର ପ୍ରସାର ହେବ

By

Published : Jun 15, 2023, 7:42 AM IST

ଭୁବନେଶ୍ବର: ସରକାରଙ୍କ ସମସ୍ତ ଯୋଜନା ଏବେ ଲୋକ କଳା ମାଧ୍ୟମରେ ପରିବେଷଣ କରାଯିବ । ହଜି ଯାଉଥିବା ଲୋକ କଳା ଏବଂ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ଓଡ଼ିଶାର ଲୋକକଳାକୁ ସହଜରେ ଜନାଦୃତ ହେବା ପାଇଁ ଏଭଳି ପଦକ୍ଷେପ ନେଇଛି ସଂସ୍କୃତି ବିଭାଗ । ଲୋକକଳା ଏବଂ ପାରମ୍ପରିକ କଳା ପରିବେଷଣ ଦ୍ବାରା ସରକାରଙ୍କ ସମସ୍ତ ଯୋଜନା ଗୁଡିକ ସମାଜର ସବୁ ସ୍ତରରେ ଓ ସବୁ ଅଞ୍ଚଳରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ।

ସରକାରଙ୍କ ନିଷ୍ପତି କ୍ରମେ ରାଜ୍ୟରେ ଲୋକକଳା ଓ ଲୋକ କଳାକାର ମାନଙ୍କର ଉନ୍ନତି, ରକ୍ଷଣାବେକ୍ଷଣ, ପ୍ରଚାର ପ୍ରସାର, ପ୍ରତିପୋଷଣ ଏବଂ ଅହରହ ସୁଦୃଢୀକରଣ ନିମନ୍ତେ ପ୍ରତ୍ୟେକ ମଣ୍ଡଳ ସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ସଂଘ ରହିଛି । ଏହି ସମସ୍ତ ସଂଘର ଉଦ୍ଦେଶ୍ୟ ସାଧନ ନିମନ୍ତେ ସରକାରଙ୍କର ସମସ୍ତ ବିଭାଗ ଗୁଡିକର ସହଯୋଗରେ ସୂଚନା ଶିକ୍ଷା ଓ ସଂଚାର (IEC) ପାଣ୍ଠିର ବିନିଯୋଗ କରାଯାଇ ସମସ୍ତ ଯୋଜନା ସମ୍ବନ୍ଧୀୟ ପ୍ରଚାର ପ୍ରସାର ନାଗରିକଙ୍କ ନିକଟରେ ପହଞ୍ଚାଯାଇଥାଏ । ଲୋକକଳା/ପାରମ୍ପରିକ କଳା ପରିବେଷଣ ମାଧ୍ୟମରେ କଳାକରମାନେ ସରକାରଙ୍କର ସମସ୍ତ ଯୋଜନା ଗୁଡିକୁ ସମାଜର ସବୁ ସ୍ତରରେ, ସବୁ ଅଞ୍ଚଳରେ ପହଞ୍ଚାଇବା ସହ ସେମାନଙ୍କର ଓ କଳାକାରମାନଙ୍କର ପରିବାରର ଆର୍ଥିକ ପ୍ରତିପୋଷଣ ହୋଇଥାଏ ।

ଲୋକକଳା, ପାରମ୍ପରିକ କଳା ଦ୍ବାରା ଜୀବନ ଜୀବିକା ନିର୍ବାହ କରୁଥିବା ତଥା ଲୋକକଳା/ପାରମ୍ପରିକ କଳାକୁ ଜୀବିତ ରଖୁଥିବା ଓ ସମୃଦ୍ଧ କରୁଥିବା ଏହି କଳାକାର ମାନଙ୍କ ଦ୍ବାରା ଗଠିତ ଓ ପରିଚାଳିତ ହେଉଥିବା ଉକ୍ତ ସଂଘ ଯଥା ବ୍ଲକ କଳା ସଂସ୍କୃତି ସଂଘ (BKSS), ଜିଲ୍ଲାକଳା ସଂସ୍କୃତି ସଂଘ (ZKSS), ରାଜ୍ୟ କଳା ସଂସ୍କୃତି ସଂଘ (RKSS) ମାନଙ୍କର ପ୍ରଦର୍ଶନ,ପରିବେଷଣ ଓ ଆଭିମୁଖ୍ୟ ରାଜ୍ୟ ପାଇଁ ସର୍ବଦା ଗୌରବ ଓ ପ୍ରଶଂସା ଆଣିଦେଇଛି । ସମସ୍ତ କଳାକାର ଓ କଳାସଂସ୍କୃତି ସଂଘ, ଆମ ରାଜ୍ୟର ପ୍ରକୃତ ବିଭବ ତଥା ମୁଖବକ୍ତା ଅଟନ୍ତି । ସେମାନଙ୍କର କଲ୍ୟାଣ, ପୁନଃପୁନଃ ଉନ୍ନତି ତଥା କଳା ବିଭବ ଗୁଡିକର ସଂରକ୍ଷଣ ନିମନ୍ତେ ସରକାର ସର୍ବଦା ଚେଷ୍ଟିତ । ଏହି ପରିପ୍ରେକ୍ଷୀରେ ଉକ୍ତ ମାର୍ଗଦର୍ଶିକା ସମସ୍ତ ବିଭାଗ ପାଇଁ ଯୋଜନା ପ୍ରଣୟନ ତଥା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ସାହାଯ୍ୟ କରିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମସ୍ତ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି, ବିଭାଗ ଓ ଜିଲ୍ଲା ସହିତ ସମନ୍ବୟ ସ୍ଥାପନ, ସଂଯୋଜନା ତଥା ରୁପାୟନ କରି ଜିଲ୍ଲାସ୍ତରରେ ଥିବା ଜିଲ୍ଲାକଳା ସଂସ୍କୃତି ସଂଘ (ZKSS) ଓ ବ୍ଲକ କଳା ସଂସ୍କୃତି ସଂଘ (BKSS) ଗୁଡିକର ସୁଦୃଢୀକରଣ, ତାଲିମ ପ୍ରଦାନ, ପ୍ରଶିକ୍ଷଣ ତଥା କଳାକାର ଓ ସଂଘ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତ କାର୍ଯ୍ୟ ଗୁଡିକର ସଂଯୋଜନା କରିବା ତଥା ବିଭାଗରୁ ନିର୍ଗମନ ହେଉଥିବା ସମସ୍ତ ନିର୍ଦ୍ଦେଶନାମା, ଆଦେଶର ଅନୁପାଳନ ସହ ଉତ୍ତରଦାୟୀ ରହିବେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details