ଭୁବନେଶ୍ବର :ବର୍ଷା ଦିନ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ଚିନ୍ତା ଘାରିଲାଣି । କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥିତି ସମୀକ୍ଷା କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଗରୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବର୍ଷା ପୂର୍ବରୁ ସବୁ ଜଳ ଉତ୍ସ ବିଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ନିରଞ୍ଜନ ମିଶ୍ର ।
ସୂଚନା ଅନୁଯାୟୀ, ବର୍ଷା ଦିନ ଆସିବା ପରେ ଅନେକ ଜିଲ୍ଲା ରେ ଡାଇରିଆ ଭଳି ଜଳବାହିତ ରୋଗ ଲକ୍ଷ୍ୟ କରାଯାଏ । ହଇଜା , ଡାଇରିଆ, ଜଣ୍ଡିସ, ଟାଇଫଏଡ଼ ଭଳି ରୋଗ ବ୍ୟାପିବାରେ ସମ୍ଭାବନା ଥାଏ। ତେଣୁ ବନ୍ୟା ଅଞ୍ଚଳ ଗୁଡ଼ିକରେ ପାଣି ଖସିବା ପରେ ସମସ୍ତ ଜଳ ଉତ୍ସ ବା ଟ୍ୟୁବ ୱେଲ ଓ କୂଅ ଗୁଡିକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଣିରେ ହାଲୋଜେନ ବଟିକା ପକାଇ ପିଇବା, ପାଣି ଫୁଟାଇ ପିଇବା, ସ୍ୱଚ୍ଛ ପାନୀୟ ଜଳ ପିଇବା, ସାବୁନରେ ହାତ ଧୋଇବା ପାଇଁ ସଚେତନ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ବର୍ଷା ହେବା ମାତ୍ରେ ଅନେକ ସ୍ଥାନରେ ବନ୍ୟା ହୋଇଥାଏ। ତେବେ ସେହି ପ୍ରଭାବିତ ଜିଲ୍ଲା ଗୁଡିକରେ ଔଷଧ ମହଜୁଦ କରି ରଖିବେ ଏବଂ ଜଳବନ୍ଦୀ ଅଞ୍ଚଳରେ ମେଡ଼ିକାଲ ଟିମ ପ୍ରସ୍ତୁତ ରହିବେ ।