ଖୋର୍ଦ୍ଧା: ବାଗଚି, ଶ୍ରୀ ଶ୍ରୀ କ୍ୟାନସର ହସ୍ପିଟାଲକୁ ବିରୋଧ କଲେ ଗ୍ରାମବାସୀ । ଦୀର୍ଘ 40 ବର୍ଷ ଧରି ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ ଯାଆଁଳା, ଉପରମୁଣ୍ଡି ମୁହାଁଣ, ହରିପୁର, ଦକ୍ଷିଣମୁଣ୍ଡ ମୁହାଁ, ମେଣ୍ଢାଶାଳ ଆଦି ମୌଜାର ଶତାଧିକ ଭୂମିହୀନ ଗରିବଙ୍କୁ ସରକାର ଇଇଆରପି(ERP) ସ୍କିମରେ ଯୋଗାଇଥିଲେ ଜମି ପଟା । ମାତ୍ର ରାଜ୍ୟ ସରକାର କିଛି ଦିନ ପୂର୍ବେ ଏହି ସ୍ଥାନରେ 750 ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଥିଲେ । ମାତ୍ର ଏଥିରେ ଶତାଧିକ ଲୋକେ ତାଙ୍କର ଜମି ହରାଇବାକୁ ପଡୁଥିବା ନେଇ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି ।
ବିନା କୌଣସି ସୂଚନାରେ ଏହି ହସ୍ପିଟାଲ ପାଇଁ ଜମି ନେଉଥିବା ପ୍ରତିବାଦରେ ଆଜି ( ସୋମବାର) ଉକ୍ତ ଅଞ୍ଚଳର ଶତାଧିକ ଲୋକେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଗୋଟିଏ ପଟେ ଏହି କ୍ୟାନସର ହସ୍ପିଟାଲକୁ ସ୍ବାଗତ କରିଥିବା ବେଳେ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଲୋକେ ଦାବି କରିଛନ୍ତି ।