ଭୁବନେଶ୍ବର:OSSSC ଅଫିସ ସାମ୍ନାରେ ପନିପରିବା ରଖି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଫାର୍ମାସିଷ୍ଟ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପାଇଁ OSSSC ପକ୍ଷରୁ ତତ୍ପରତା ପ୍ରକାଶ କରାଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ OSSSC ଅଫିସ୍ ସାମ୍ନାରେ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ନିଯୁକ୍ତି ପାଇଁ ଆଶାୟୀ ଛାତ୍ରମାନେ ପନିପରିବା ରଖି ପ୍ରତିବାଦ କରିଛନ୍ତି ।
ସୂଚନା ଅନୁସାରେ, OSSSC ଅଫିସିଆଲ ନିଯୁକ୍ତି କ୍ୟାଲେଣ୍ଡରରେ ୧ହଜାର ୨ ଟି ଫାର୍ମାସିଷ୍ଟ ପଦବୀ ଏବଂ ୧ହଜାର ୪୫୧ MPHW ପୋଷ୍ଟ ପାଇଁ ମେ' ମାସରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଲ୍ଲେଖ ଥିଲା । ଏପଟେ ଅଗଷ୍ଟ ମାସରେ ପରୀକ୍ଷା କରାଯାଇ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ନିର୍ଦ୍ଦେଶ ଥିଲା । କିନ୍ତୁ ମେ' ମାସଠାରୁ ଫାର୍ମାସିଷ୍ଟ ଏବଂ MPHW ପୋଷ୍ଟକୁ ଘୁଞ୍ଚାଯାଇ ଜୁଲାଇକୁ ଅଣାଗଲା। ପୁନଶ୍ଚ ଜୁଲାଇରୁ ଅଗଷ୍ଟ ଆଉ ତା' ପରେ ସେପ୍ଟେମ୍ବର ମାସ ଧାର୍ଯ୍ୟ କରାଯାଇଥିଲା। ଯାହାକି ଏବେ ସେପ୍ଟେମ୍ବର ମାସର ୨ ତାରିଖ ଦିନରୁ ପୁଣି ଅକ୍ଟୋବର ମାସକୁ ଘୁଞ୍ଚାଇ ଦିଆଯାଇଛି । ତେବେ "ସରକାରଙ୍କର ନିର୍ଦ୍ଦେଶକୁ OSSSC ଖାତିର ନ କରିବା ଅତ୍ୟନ୍ତ ଦୁଃଖଦ ବିଷୟ" ବୋଲି ଫାର୍ମାସିଷ୍ଟମାନେ ଅଭିଯୋଗ କରିଛନ୍ତି ।
ଫାର୍ମାସିଷ୍ଟ ଏବଂ MPHW(M) ପଦବୀ ପାଇଁ ସମସ୍ତ ଆଶାୟୀ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ OSSSCର ସରକାରୀ ବିରୋଧୀ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଆକର୍ଷଣ କରାଇଛନ୍ତି । ରାଜ୍ୟ ସରକାର ଦୀର୍ଘ ୭୫ ବର୍ଷ ଭିତରେ ୨ହଜାର ୪୫୩ ଫାର୍ମାସିଷ୍ଟ ଏବଂ MPHW(M) ପୋଷ୍ଟ ବାହାର କରି ଇତିହାସ ସୃଷ୍ଟି କରିଥିବାବେଳେ OSSSC କର୍ତ୍ତୃପକ୍ଷଙ୍କ ସରକାରୀ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଆଶାୟୀ ଫାର୍ମାସିଷ୍ଟ।