ଭୁବନେଶ୍ବର :ଲୋୟର ପିଏମଜିରେ ଡିଏମଡି ରୋଗୀଙ୍କ ବିକ୍ଷୋଭ । ମେଡିକାଲ ସହାୟତା ପାଇଁ ପ୍ରତିବାଦ । କାହାକୁ ବୟସ 12 ହେଲାଣି ତ କାହାକୁ 18 । ହେଲେ ଡିଏମଡି ରୋଗର ଶୀକାର ଯୋଗୁଁ ଏବେ ହ୍ଵିଲ୍ ଚେୟାରରେ ଜୀବନ କଟୁଛି । ଏଭଳି ଅଭିଯୋଗ କରି ଲୋୟର ପିଏମଜିରେ ଡିଏମଡି ରୋଗୀ ମେଡିକାଲ ସହାୟତା ପାଇଁ ଦାବି କରିଛନ୍ତି ।
ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ମସ୍କ୍ୟୁଲାର ଡିଷ୍ଟ୍ରୋପି ଭଳି ରୋଗ । ବିଶେଷ କରି ଛୋଟ ପିଲାଙ୍କଠାରେ ଏହି ରୋଗ ଦେଖାଯାଉଥିବା ବେଳେ ଏହି ରୋଗରେ ଶରୀର ବଙ୍କା ହୋଇ ଯାଇଥାଏ । ଆଜି ପର୍ଯ୍ୟନ୍ତ ଏହି ରୋଗର ମେଡିସିନ ବାହାରି ନଥିବା ବେଳେ କୌଣସି ମେଡିକାଲରେ ଏହାର ଚିକିତ୍ସା ଉପଲବ୍ଧ ହେଉନାହିଁ । ଏଭଳି ରୋଗରେ ଆକ୍ରାନ୍ତ ହୋଇ ମଧ୍ୟପ୍ରଦେଶର ଜଣେ ପିଲା ଭଲ ନହେବା ଫଳରେ ତା'ର ବାପା ମା ଆତ୍ମହତ୍ୟା କରିଥିବା ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଅଧିକ ଗବେଷଣା ଦ୍ଵାରା ଏହାର ମେଡିସିନ ଉଦ୍ଭାବନ ହେବା ସହିତ ଚିକିତ୍ସା ସୁବିଧା ମଧ୍ୟ ମିଳି ପାରିବ । ଏନେଇ ସରକାର ପଦକ୍ଷେପ ନେବା ଆବଶ୍ୟକ । ରାଜ୍ୟ ସରକାର ଏହି ରୋଗର ଚିକିତ୍ସା ପାଇଁ ସମସ୍ତ ଅର୍ଥ ବହନ କରନ୍ତୁ । ଏହା ସହ କିଭଳି ଭଲ ଚିକିତ୍ସା ହୋଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରନ୍ତୁ ବୋଲି ଏହି ରୋଗରେ ପୀଡ଼ିତ ଥିବା ପିଲାଙ୍କ ପରିବାରବର୍ଗ କହିଛନ୍ତି ।