ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଥିଲେ ପ୍ରଫେସର ପ୍ରସନ୍ନ ସ୍ବାଇଁ । ବର୍ତ୍ତମାନ ୩ ବର୍ଷ ପର୍ଯ୍ୟନ୍ତ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପଦବୀରେ ସେ ରହିବେ । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ସ୍ବାଇଁଙ୍କୁ କୁଳପତି ଭାବେ ନିଯୁକ୍ତ କରିଛନ୍ତି ।
ଅଧ୍ୟାପନାରେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି । ପ୍ରଫେସର ସ୍ବାଇଁ ୧୦ଟି ପୁସ୍ତକ ରଚନା କରିଛନ୍ତି । ଏହା ସହିତ ସଫଳତାର ସହିତ ୨ଟି ଡିଏଲଆଇଟି, ୧୫ ପିଏଚ୍ଡି ଏବଂ ୫୬ ଏମ୍ଫିଲ ସ୍କଲାରଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଫେସର ସ୍ବାଇଁ । ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜଣେ କର୍ତ୍ତବ୍ୟନିଷ୍ଠ ପ୍ରଫେସର ଭାବେ ନିଜର ଦାୟିତ୍ବ ପରିଚାଳନା କରୁଥିଲେ । ବର୍ତ୍ତମାନ ୩ ବର୍ଷ ପର୍ଯ୍ୟନ୍ତ ସେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ କୁଳପତି ଦାୟିତ୍ବ ତୁଲାଇବେ । ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୯୯ ମସିହାରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ସ୍ଥାପନ କରାଯାଇଥିଲା । କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶର ଏହା ପ୍ରଥମ ଓ ଏକମାତ୍ର ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ମଧ୍ୟ ଅନୁବନ୍ଧିତ ରହିଛନ୍ତି ।