ଓଡିଶା

odisha

ETV Bharat / state

ପ୍ରଫେସର ବିଧୂଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି - ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରଫେସର

ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଗଣେଶୀ ଲାଲ 4 ବର୍ଷ ପାଇଁ ସମ୍ବଲପୁରର କୁଳପତି ଭାବେ ପ୍ରଫେସର ମିଶ୍ର ନିଯୁକ୍ତି କରିଛନ୍ତି। ଅଧିକ ପଢନ୍ତୁ

professor bidhubhushan mishra
professor bidhubhushan mishra

By

Published : Jan 8, 2023, 8:20 PM IST

ଭୁବନେଶ୍ବର:ସମ୍ବଲପୁରର କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ବିଧୁ ଭୂଷଣ ମିଶ୍ର । ତେବେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀ ଲାଲ 4 ବର୍ଷ ପାଇଁ ସମ୍ବଲପୁରର କୁଳପତି ଭାବେ ପ୍ରଫେସର ମିଶ୍ର ନିଯୁକ୍ତି କରିଛନ୍ତି। ପ୍ରଫେସର ବିଧୁ ଭୂଷଣ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରଫେସର ଭାବରେ ଅବସର ନେଇଛନ୍ତି । ସେ 9ଟି ପୁସ୍ତକ ରଚନା କରିବା ସହ ଲୋକପ୍ରିୟ ପତ୍ରିକାରେ 122ଟି ଲେଖା ଲେଖିଛନ୍ତି । ତାଙ୍କର 34 ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି । ଏହାଛଡ଼ା ସେ ସଫଳତାର ସହିତ 39 ଜଣ PHd ଓ 3 ଜଣ M.Phil ସ୍କଲାରଙ୍କୁ ଗାଇଡ୍ କରିଛନ୍ତି ।

ସୂଚନା ଅନୁଯାୟୀ, ବିବାଦ ଘେରରେ ଛନ୍ଦି ହୋଇ ଇସ୍ତଫା ଦେଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ପରେ ଏବେ ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେବା ଦିନଠାରୁ ବିବାଦ ଘେରରେ ଛନ୍ଦି ହୋଇ ଆସୁଥିଲେ । ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଇଁ ଦିଆଯାଇଥିବା 33 ଲକ୍ଷ 44 ହଜାର ଟଙ୍କା ମଧ୍ୟରୁ ପ୍ରଫେସର ମିତ୍ତଲ 29 ଲକ୍ଷ ଟଙ୍କା ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପଠାଇ ସେ ନିଜ ପାଇଁ ବଡ଼ ବିପଦ ଟାଣି ଆଣିଥିଲେ । ପ୍ରଫେସର ମିତ୍ତଲ ନାନା ପ୍ରକାରର ବିବାଦରେ ଛନ୍ଦି ହୋଇ ଶେଷରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ।

ଅନ୍ୟପଟେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବହୁ ମୂଲ୍ୟ ଗଛ କଟାଠାରୁ ଆରମ୍ଭ କରି ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୂତି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବା, ହାଇକୋର୍ଟରୁ ଆଗୁଆ ଜାମିନ ଆଣିବା, ଏଲ୍‌ଆର୍‌ ଆଇନ୍ ମହାବିଦ୍ୟାଳୟର ସ୍ଥାୟୀ ଅଧ୍ୟକ୍ଷଙ୍କୁ ହଟାଇ ଅତିଥି ଅଧ୍ୟାପକଙ୍କୁ ଦାୟିତ୍ୱ ଦେବା, ମହାବିଦ୍ୟାଳୟର ଥିବା ପାଣ୍ଠିକୁ ବିଶ୍ୱବିଦ୍ୟାଳୟ ଖାତାକୁ ସ୍ଥାନାନ୍ତର କରିବା, ବିଶ୍ୱବିଦ୍ୟାଳୟ ପୁସ୍ତକ କିଣାରେ ହେରଫେର, ସମାବର୍ତ୍ତନ ଉତ୍ସବରେ ଜଣେ ବ୍ୟବସାୟୀଙ୍କୁ ଡକ୍ଟରେଟ୍ ଦେବା, ଦିଆ ଯାଇଥିବା ସ୍ୱର୍ଣ୍ଣ ପଦକରେ ସୁନାର ପରିମାଣ କମ୍ ରହିବା ଓ ଶେଷରେ ସ୍ୱଚ୍ଛ ବିଶ୍ୱବିଦ୍ୟାଳୟ ଅଭିଯାନ ପାଣ୍ଠିର ପ୍ରାୟ 29 ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର କରିବା ଭଳି ଅନେକ କାର୍ଯ୍ୟରେ ସେ ଛନ୍ଦି ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details