ଭୁବନେଶ୍ବର:ସିନେ ରିପୋର୍ଟରଙ୍କୁ ଅସଦାଚରଣ ଘଟଣା । ସଫେଇ ରଖିଲେ ପ୍ରଯୋଜକ ଟୁଟୁ ନାୟକ । ନିଜର ବ୍ୟବହାର ପାଇଁ ପୁଣି ଅଡୁଆରେ ପଡିଛନ୍ତି ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆସିବା ପରେ ସେ ଆହୁରି ବିବାଦୀୟ ହୋଇପଡିଛନ୍ତି । ଥାନାରେ ଅଭିଯୋଗ ପରେ ଏବେ ପୋଲିସ ମାମଲା ରୁଜୁ କରିଛି । କେସ ନମ୍ବର ୫୫୩ ରେ ଆଇପିସିର ଦଫା ୩୫୪, ୩୨୩,୩୪୧, ୨୯୪ରେ ତଦନ୍ତ ଜାରି ରଖିଛି । ସେପଟେ ପୋଲିସ ମାମଲାକୁ ଗୁରୁତର ସହ ନେଇ ସାମ୍ବାଦିକଙ୍କୁ ସାଙ୍ଗରେ ଧରି ସାକ୍ଷୀ ଚିହ୍ନଟ କରୁଛି।
ହେଲେ ଏହାରି ଭିତରେ ଟୁଟୁ ନିଜର ଭୁଲ ସ୍ବୀକାର କରିଛନ୍ତି । ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପରେ ଏବେ ଟୁଟୁ ହ୍ବାଟସଅପ ଜରିଆରେ ଏକ ସଫେଇ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, "ଦେବସ୍ମିତା...ତୁମେ ମୋର ଝିଅ ବୟସର ହେବ, ତୁମେ ମୋତେ ବହୁତ ଦିନରୁ ଜାଣିଛ । ମୁଁ ତୁମକୁ ସବୁ ମିଡ଼ିଆ ଭାଇ ଭଉଣୀଙ୍କ ପରି ମୋ ପରିବାରର ସଦସ୍ୟ ଭାବେ ଏବଂ ସେଭଳି ବ୍ୟବହାର ବି କରେ । ଆଜି ମୁଁ ସ୍ଵାତୀ ସିନେମା ହଲରୁ ମହାରାଜା ସିନେମା ହଲକୁ ଆଉ ଗୋଟେ ପ୍ରିମିୟର ସୋକୁ ଗଲାବେଳେ ତୁମେ ମେନ ଗେଟ ମଝିରେ ଠିଆ ହୋଇଥିଲ । ମୁଁ ତୁମକୁ ଡ଼ାକିଥିଲି କିନ୍ତୁ ବାଜା ବାଜୁଥିବାରୁ ତୁମକୁ ଶୁଭି ନ ଥିଲା । ତେଣୁ ମୁଁ ତୁମ ପିଠି ଥାପୁଡ଼େଇ ତୁମକୁ ସାଇଡ କରିଥିଲି ଏବଂ ତୁମ ହାତରୁ ବୁମ ଖସିପଡ଼ିଥିଲା । ମୁଁ ଉଠେଇଲା ବେଳକୁ ଆମ ମିଡ଼ିଆ ଭାଇମାନେ ଉଠେଇକି ଦେଇଦେଇଥିଲେ, ଏବଂ ମୁଁ ସ୍ନେହରେ ତୁମ ଗାଲକୁ ଥାପୁଡ଼େଇ କହିଥିଲି ତୁ ଖାଇନୁ କିରେ ??? ଆଉ ତୁମେ ହସିକି କହିଥିଲ ହଁ ଭାଇ ମୁଁ ଖାଇଛି ।"