ଭୁବନେଶ୍ବର: ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା । ଆସିଲା DNA ରିପୋର୍ଟ । ତୃତୀୟ ମୃତ ଘୋଷଣା କରାଯାଇଥିବା ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ହେଲା ସ୍ପଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ଡିଏନ୍ଏ ସହ ମୃତକଙ୍କ ଡିଏନ୍ଏ ମେଳ ଖାଉଥିବା ସ୍ପଷ୍ଟ କଲା ଷ୍ଟେଟ୍ ଫରେନ୍ସିକ୍ ବିଭାଗ । ଏନେଇ ସ୍ପଷ୍ଟ ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ପ୍ରକାଶ ପାଲ । ଏବେ ମୃତ ଦିଲ୍ଲୀପଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ହେବ ବୋଲି ଜଣାପଡ଼ିଛି ।
ମୃତଦେହ ଚିହ୍ନଟ ନେଇ ତ୍ରୁଟି ହୋଇଥିବା ଅଭିଯୋଗରେ ପଡ଼ିଛି ପୂର୍ଣ୍ଣଚ୍ଛଦ । ଶେଷରେ ତୃତୀୟ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିଛି ଡିଏନ୍ଏ ରିପୋର୍ଟ । ତୃତୀୟ ବ୍ୟକ୍ତି, ଯାହଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଭାବିଥିଲେ, ଏବଂ ଦିଲ୍ଲୀପ ଜୀବିତ ଥିବା ସ୍ପଷ୍ଟ କରିଥିଲେ । ଏହାପରେ ଉପୁଜିଥିଲା ଦ୍ବନ୍ଦ୍ବ । ହେଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ କହିବା ପରେ ମୃତଦେହ ନେବା ପାଇଁ ଲାଗିଥିଲା ବିବାଦ । କରଣ ବିସ୍ଫୋରଣ ଘଟଣାରେ ଗତ 31 ଡିସେମ୍ବରରେ ପ୍ରଥମେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଘୋଷଣା କରିବା ପରେ ପୋଲିସ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଏକ ମୃତଦେହ । ଏହାପରେ ସ୍ବାମୀଙ୍କ ମୃତ୍ୟୁ ସହି ନପାରି ଆତ୍ମହତ୍ୟା କରିଥିଲେ ଦିଲ୍ଲୀପଙ୍କ ପତ୍ନୀ ସୌମ୍ୟାଶ୍ରୀ ଜେନା । ଏହାପରେ ବିବାଦ ଆହୁରି ଘନେଇଥିଲା । କାରଣ ହସ୍ପିଟାଲ କର୍ତ୍ତୃପକ୍ଷ ଯାହକୁ ଜ୍ୟୋତିରଞ୍ଜନ ବୋଲି ଭାବୁଥିଲେ, ସେ କିନ୍ତୁ ଦିଲ୍ଲୀପ ସାମନ୍ତରାୟ, ଯିଏକି ନିଜେ ବଞ୍ଚିଛନ୍ତି ବୋଲି କହିଥିଲେ । ପୁଣିଥରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଥିଲେ । ଏଥିରୁ କିଏ ଦିଲ୍ଲୀପ ଓ କିଏ ଜ୍ୟୋତିରଞ୍ଜନ ବୋଲି ଉପୁଜିଥିଲା ବିବାଦ ।