ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ: ଦାୟିତ୍ୱରେ ଅବହେଳା ହେଲେ କଡା କାର୍ଯ୍ୟାନୁଷ୍ଠାନ

୨୫ରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ମୁର୍ମୁ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

By

Published : Jul 19, 2023, 6:48 AM IST

Updated : Jul 19, 2023, 11:00 AM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ.ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବୈଠକ ବସିଛି । ଏଥିରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି । ଜୁଲାଇ ୨୫ ତାରିଖ ଦିନ ରାଜଭବନରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

ସୁରକ୍ଷା ବ୍ୟବସ୍ଥା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା, ରାଜଭବନ ଓ ତମାଣ୍ଡୋରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେଭଳି ତ୍ରୁଟିଶୂନ୍ୟ ଓ ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥିପାଇଁ ଯତ୍ନବାନ ହେବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: President Odisha Visit: କାର୍ଯ୍ୟକ୍ରମ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଲା ରାଜ୍ୟ ପ୍ରଶା

କାର୍ଯ୍ୟକ୍ରମ ସମୟରେ ସଭାସ୍ଥଳୀକୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ ଏବଂ ଓପିଟିସିଏଲକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଜ୍ଞ ଯନ୍ତ୍ରୀମାନେ ଉପସ୍ଥିତ ରହି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଏବଂ ମହଜୁଦ୍ ଜେନେରେଟର ଗୁଡ଼ିକର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ଯାଞ୍ଚ କରିବେ । କାର୍ଯ୍ୟକ୍ରମସ୍ଥଳରେ ପାନୀୟ ଜଳ ଯୋଗାଣ, ସଭା ମଞ୍ଚ ପ୍ରସ୍ତୁତି, ସ୍ବାସ୍ଥ୍ୟସେବା, ଚିକିତ୍ସା ଓ ଆମ୍ବୁଲାନ୍ସ, ଡାକ୍ତରୀ ଟିମ ମୁତୟନ, ଉତ୍ସବସ୍ଥଳୀକୁ ଯାତାୟତ ରାସ୍ତାର ମରାମତି ଓ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟେଲିଫୋନ, ବ୍ରଡବ୍ୟାଣ୍ଡ ଓ ହଟଲାଇନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି ।

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହି ସମୟରେ ଗସ୍ତ ସୂଚୀରେ ଥିବା ରୁଟରେ ସମସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଯାନବାହାନକୁ ହଟାଇ ନେବା ପାଇଁ କୁହାଯାଇଛି । ପୋଲିସ ବିଭାଗ ପକ୍ଷରୁ କାରକେଡ, ଟ୍ରାଫିକ ଏବଂ ଯାନବାହାନ ପାର୍କିଂକୁ ସୁବ୍ୟବସ୍ଥିତ କରାଯିବ । ସଭାମଞ୍ଚ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ, ବ୍ୟାରିକେଡିଂ ବ୍ୟବସ୍ଥା, ଅତିଥିମାନଙ୍କ ବସିବା ବ୍ୟବସ୍ଥା, ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭନ୍ନ ଗଣମାଧ୍ୟମକୁ ସୂଚନା ପ୍ରଦାନ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ଯାନବାହନ ଯୋଗାଣ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମୁତୟନ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ।

ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନଙ୍କ ସହ ତମାଣ୍ଡୋର ଦଶବାଟିଆରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ଏହା ସହିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସମସ୍ତ ଆୟୋଜନ କରିବାକୁ କୁହାଯାଇଛି । ବିଭାଗୀୟ ଅଧିକାରୀମାନେ ନିଜ ନିଜ ମଧ୍ୟରେ ଉଚିତ ସମନ୍ବୟ ରଖି କାର୍ଯ୍ୟ କରିବା ଏବଂ ଏଥିପାଇଁ ଏକ ହ୍ବାଟ୍ସଆପ ଗ୍ରୁପ ଗଠନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତେ ନିଜ ନିଜ ଦାୟିତ୍ବକୁ ପ୍ରାଥମିକତା ଦେଇ ତାହାକୁ ସୁଚାରୁ ରୂପେ ସମ୍ପାଦନ କରିବେ । ଦାୟିତ୍ବରେ ଅବହେଳା କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବାକୁ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 19, 2023, 11:00 AM IST

ABOUT THE AUTHOR

...view details