ଭୁବନେଶ୍ବର:ଓଡିଶାରୁ ବିଦାୟ ନେଲେ ଦେଶର ସର୍ବୋଚ୍ଚ ନାଗରିକ । ଦୁଇଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ବାହୁଡିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଦିଲ୍ଲୀ ଫେରିଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଲାଗି ଓଡିଶା ଗସ୍ତରେ ଆସି ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ତେବେ ଆଜି ଜୟଦେବ ଭବନରେ ଏକ ସରକାରୀ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଅଭିମୁଖେ ଗଲେ ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ବିଦାୟ ଦେଇଛନ୍ତି ।
ଅନ୍ୟପଟେ ନିଜ ମାଟିରୁ ବିଦାୟ ନେଲା ବେଳେ ଭାବବିହ୍ବଳ ହୋଇଯାଇଥିଲେ ମହାମହିମ । ଦୁଇ ଦିନ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ବିଶ୍ବର କଲ୍ୟାଣ ନିମନ୍ତେ ପ୍ରାର୍ଥନା ରଖିଛନ୍ତି । ତେବେ ସକାଳ ସମୟରେ ପିଲାବେଳେ ପାଠ ପଢୁଥିବା ଦୁଇ ନମ୍ବର ହାଇସ୍କୁଲ ଯାଇଥିଲେ । ସେଠି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ, ସ୍କୁଲ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବୃନ୍ଦ । ଅନ୍ୟପଟେ ପିଲାବେଳ ହଷ୍ଟେଲର ଯେଉଁ ବେଡ ଉପରେ ନିଜର ଜୀବନ ବିତାଇ ଥିଲେ ତାହା ଉପରେ ବସିଥିଲେ ରାଷ୍ଟ୍ରପତି ମୁର୍ମୁ । ଖୁବ ଭାବ ବିହ୍ଵଳ ହୋଇ ସ୍ମିତହାସ୍ୟ ମୁଂହରେ ଖେଳୁଥିଲା। ସେହିପରି ସକାଳ ସମୟରେ ଖଣ୍ଡଗିରି ସ୍ଥିତ ତପୋବନ ବିଦ୍ୟାଳୟ ଯାଇଥିଲେ ରାଷ୍ଟ୍ରପତି।