ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ଆଜି (ସୋମବାର) ଶେଷ ହୋଇଛି । ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ବିଦାୟ ଜଣାଇଛନ୍ତି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦ୍ବୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ଲାଗି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଥିଲେ । ଗତକାଲି ସନ୍ଧ୍ୟା ସମୟରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ଆଜି ସକାଳେ ପାରାଦ୍ବୀପ ଗସ୍ତ କରିଥିଲେ ।
ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବ ଲାଗି ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ହେଲିକାପ୍ଟରର ଯୋଗେ ପାରାଦ୍ବୀପରେ ପହଞ୍ଚିଥିଲେ । ଏହାପରେ ସେ ସକାଳ ୯ଟାରେ ପାରାଦ୍ବୀପ ସହର ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ ନିକଟରେ ହେଲିପ୍ୟାଡରେ ଅବତରଣ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ କିଛି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ ରାଷ୍ଟ୍ରପତି । ଏହାପରେ କୋଷ୍ଟଗାର୍ଡ ଜାହାଜରେ ମୋରାଇନ ସାଇଟ ବୁଲିଥିଲେ । ମହାମହିମଙ୍କ ଏହି ଗସ୍ତ ଲାଗି ଗତକାଲି ଠାରୁ ପାରାଦ୍ବୀପ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା ।
ଏହା ବି ପଢନ୍ତୁ- ପାରାଦ୍ୱୀପରେ ମହାମହିମ, ବୋଇତ ବନ୍ଦାପନା କଲେ ମେରାଇନ ସାଇଟ ବୁଲିଲେ
ଆଜି ସକାଳେ ମହାମହିମ ରାଷ୍ଟ୍ରପତି ପାରାଦ୍ବୀପରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ହୁଳହୁଳି ଓ ପାରମ୍ପରିକ ବାଦ୍ୟ ସହିତ ସ୍ବାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ପ୍ରୋଟକଲ ଭାଙ୍ଗି କୁନି କୁନି ପିଲାଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ଏହାପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ସେ ବନ୍ଦରର ଐତିହାସିକ ଗାଥାକୁ ବଖାଣିଥିଲେ । ଏହି ଭବ୍ୟ ସମାରୋହରେ ସେ ଯୋଗ ଦେଇ ବେଶ ଖୁସି ଥିବା ମଧ୍ୟ କହିଥିଲେ । ଏହାସହିତ ପାରାଦ୍ବୀପ ବନ୍ଦର ସମେତ ଦେଶର ସମସ୍ତ ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ଆହୁରି ସୁଦୃଢ ହେବା ଉଚିତ ବୋଲି କହିଥିଲେ ରାଷ୍ଟ୍ରପତି ।