ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ସ୍ମୃତିଚାରଣ ବେଳେ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ରମାଦେବୀର ଛାତ୍ରୀ ଭାବେ ଗର୍ବିତ, ଧନ ନୁହେଁ ମନର ବଳ ଥିଲେ ଦୁନିଆ ଟଳମଳ କରିହେବ କହିଲେ ରାଷ୍ଟ୍ରପତି ।
ଛାତ୍ରୀ ଜୀବନର ସ୍ମୃତିକୁ ମନେ ପକାଇ ଭାବ ବିହ୍ବଳ ହେଲେ ରାଷ୍ଟ୍ରପତି:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ କଲେଜ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ୪୦ ବର୍ଷ ତଳର ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇଯାଇଥିଲେ ରାଷ୍ଟ୍ରପତି । ତାଙ୍କ ଜୀବନର ଗତିପଥରେ ଏହି ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି କହିଥିଲେ । ରାଷ୍ଟ୍ରପତି ତାଙ୍କ ଦୀକ୍ଷାନ୍ତ ଭାଷଣ ଆରମ୍ଭରେ ରମାଦେବୀର ପବିତ୍ର ମାଟିର ବନ୍ଦନା କରିଥିଲେ । ଅଡିଟୋରିୟମ୍ ହଲ୍ ଉପରେ ଆଖି ବୁଲାଇ କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ ରାଷ୍ଟ୍ରପତି । କହିଥିଲେ, "ଏହି ସେ ଅଡିଟୋରିୟମ୍, ସେହି ସୁଗନ୍ଧ, ସେହି ମହକ, ସେଇ କାନ୍ଥ, ସମସ୍ତେ ମତେ ଯେମିତି ଆହ୍ବାନ କରୁଛନ୍ତି । ଶ୍ରଦ୍ଧାରେ ପାଛୋଟି ଆଣୁଛନ୍ତି ।"