ଓଡିଶା

odisha

ETV Bharat / state

ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ, ମେ’ ୪ରେ ମୟୂରଭଞ୍ଜ ଆସିବେ ମାଟିର ଝିଅ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମେ' ୪ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ । ଅଧିକ ପଢନ୍ତୁ

ମେ' ୪ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ମେ' ୪ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

By

Published : Apr 28, 2023, 7:55 AM IST

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତିତ ହୋଇଥିବା ସୂଚନା ମିଳିଛି । ମେ' ୯ ପରିବର୍ତ୍ତେ ୪ ତାରିଖରେ ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି । ସେ ୩ ଦିନିଆ ମୟୂରଭଞ୍ଜ ଗସ୍ତ କରିବେ । ଏନେଇ ୪ଟି ସ୍ଥାନରେ ହେଲିପ୍ୟାଡ ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ୩ ଦିନିଆ ଗସ୍ତରେ ରାଷ୍ଟ୍ରପତି ପାହାଡପୁର, ରାଇରଙ୍ଗପୁର, ଶିମିଳିପାଳ ଓ ବାରିପଦାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତି ମୁର୍ମୁଙ୍କ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ନେଇ ବ୍ୟକ୍ତିଗତ ସଚିବାଳୟରୁ ସୂଚନା ପ୍ରଦାନ କରାଯାଇଛି ।

ପୂର୍ବରୁ ସେ ମେ' ୯ ତାରିଖରେ ଆସିବା କାର୍ଯ୍ୟକ୍ରମ ଥିବାବେଳେ ତାହା ପରିବର୍ତ୍ତନ ହୋଇଛି । ମେ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ । ହେଲେ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାର ଦୀର୍ଘ ୧୧ ମାସ ପରେ ପ୍ରଥମ ଥର ନିଜ ଜନ୍ମମାଟି ମୟୂରଭଞ୍ଜ ଆସିବେ । ରାଇରଙ୍ଗପୁର ବାସଭବନ, ଶାଶୁଘର ଗ୍ରାମ ପାହାଡପୁର, ଶିମିଳିପାଳ ଅଭୟାରଣ୍ୟ ଓ ବାରିପଦା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବାଦାମପାହାଡ, ଦାଣ୍ଡବୋଷ, ଯଶିପୁର ଓ ବାରିପଦାରେ ୪ଟି ହେଲିପ୍ୟାଡ ପ୍ରସ୍ତୁତ କରାଯିବ । ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗ ଏୟାରପୋର୍ଟରେ ଅବତରଣ କରିବେ ।

ସେଠାରୁ ଏକ ସ୍ବତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକେପ୍ଟରରେ ବାହାରି ୧୦ଟା ୧୫ରେ ବାଦାମପାହାଡ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସେ ସ୍ୱତନ୍ତ୍ର କାର ଯୋଗେ ଶାଶୁଘର ପାହାଡପୁରକୁ ଯାଇ ସ୍ୱାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋଶାଣି ଯିବେ । ପରେ ନାବାର୍ଡ ଦ୍ୱାରା ନିର୍ମାଣ କରାଯିବାକୁ ଥିବା ଏକ କମ୍ୟୁନିଟି କେନ୍ଦ୍ର ଓ ଏକ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହିତ ସମୟ ବିତାଇ ଅପରାହ୍ନ ୧୨ଟା ୩୦ରେ ହାଟବାଦଡା ସାତପଉଟିଆରେ ଥିବା ବ୍ରହ୍ମକୁମାରୀ କେନ୍ଦ୍ରକୁ ଯାଇ ‘ନିଶାମୁକ୍ତ ଓଡ଼ିଶା’ ପ୍ରଚାର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।

ଅପରାହ୍ନ ୧ଟା ରେ ରାଇରଙ୍ଗପୁର ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବା ପରେ ଅପରାହ୍ନ ୪ଟାରେ ବାହାରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ୪ଟା ୨୫ରେ ବଡ଼ବନ୍ଧରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉଡାଇବା ପରେ ୪ଟା ୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ରାଇରଙ୍ଗପୁର ମ୍ୟୁନସିପାଲିଟି ଅଫିସ ପରିଦର୍ଶନରେ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ରାଇରଙ୍ଗପୁର ମ୍ୟୁନସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ମହୁଲଡିହା ବଙ୍ଗଳାରେ ପହଞ୍ଚି ସନ୍ଧ୍ୟା ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ ।

୫ ତାରିଖ ସକାଳ ୭ଟା ୫୫ ମିନିଟରେ ରାଇରଙ୍ଗପୁର ବାସଭବନ ଓ ୮ଟା ୪୦ ରେ ଦାଣ୍ଡବୋଷରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ମାଟିରେ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ୯ଟା ୧୫ ରେ ହେଲିକପ୍ଟର ଯୋଗେ ଯାଇ ୧୦ଟାରେ ଯଶିପୁର ହେଲିପ୍ୟାଡରେ ଅବତରଣ କରିବେ । ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯାଇ ଅପରାହ୍ନ ୨ଟା ୩୦ରେ ଫେରିବେ । ଅପରାହ୍ନ ୪ଟା ୩୦ରେ ଯଶିପୁର ହେଲିପ୍ୟାଡରୁ ବାରିପଦା ଅଭିମୁଖେ ଯାତ୍ରା କରିବେ । ୫ଟା ୨୫ରେ ବାରିପଦା ହେଲିପ୍ୟାଡରେ ପହଞ୍ଚିବା ପରେ ଗେଷ୍ଟ ହାଉସରେ ରହିବେ । ସନ୍ଧ୍ୟା ୬ ରୁ ୭ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ରାତ୍ରିଯାପନ କରିବେ ।

୬ ତାରିଖ ସକାଳ ୯ଟା ୪୦ରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ପିଭିଟିଜିଏସଙ୍କ ସହିତ ଆଲୋଚନା କରି ୧୧ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୨ଟା ୨୫ରେ ବାହାରି ବାରିପଦା ହେଲିପ୍ୟାଡରୁ କୋଲେଇକୁଣ୍ଡାରୁ ପାଲମ ଏୟାର ପୋର୍ଟ ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details