ଦଳ ସଚେତନ ନହେଲେ ଆଗକୁ କୌଣସି ପ୍ରଭାବ ପଡ଼ିବ ନାହିଁ : ବିଧାୟକ ଭୁବନେଶ୍ବର : କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଦଳପକ୍ଷରୁ ଚାଲିଛି ରୀତିମତ ପ୍ରଚେଷ୍ଟା କରାଯାଉଛି । ଏନେଇ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ସମସ୍ତ ବିଧାୟକ, ସମସ୍ତ ଜିଲ୍ଲାର ସଭାପତି ଓ ବରିଷ୍ଠ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ହେଲେ ବୈଠକ ଆରମ୍ଭରୁ ହିଁ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ବିଗିଡ଼ି ଯାଇଥିଲେ ।
କାରଣ ବୈଠକ ଆରମ୍ଭ ହେବା ପୂର୍ବରୁ ନରସିଂହ ପହଞ୍ଚିଥିବା ବେଳେ ବୈଠକରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଆସିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ନରସିଂହ ବିରକ୍ତି ପ୍ରକାଶ କରି କଂଗ୍ରେସ ଭବନରୁ ଉଠି ଚାଲି ଯାଇଥିଲେ । ଏଥିରୁ ସ୍ପଷ୍ଟ ବାରି ହେଉଥିଲା ନରସିଂହ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଏହାର କିଛି ସମୟ ପରେ ବୈଠକ ଆରମ୍ଭ ହୋଇଥିଲା । ଆଉ ବୈଠକ ଆରମ୍ଭ ହେବାକ୍ଷଣି ନରସିଂହ ଆସି ପୁଣିଥରେ ବୈଠକରେ ଯାେଗ ଦେଇଥିଲେ ।
ହେଲେ ବୈଠକ ସରିବା ପୂର୍ବରୁ ହିଁ ନରସିଂହ କଂଗ୍ରେସ ଭବନ ଛାଡ଼ି ଚାଲି ଯାଇଥିଲେ । ବିଧାୟକଙ୍କ ଏପରି ବିରକ୍ତି ହେବା ଓ ବୈଠକ ସରିବା ପୂର୍ବରୁ ଉଠି ପଳାଇବା ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଦଳ ଭିତରେ ଅନନ୍ତୋଷ ଲାଗି ରହିଛି । ଅନ୍ୟପକ୍ଷରେ ସମାନ ଭାବରେ କଂଗ୍ରେସର କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏହାକୁ ନେଇ କହିଥିଲେ ଦଳରେ କୌଣସି ଜିନିଷ ଠିକ୍ ନାହିଁ । ଏପରିକି କହୁ କହୁ କହି ଦେଇଥିଲେ କଂଗ୍ରେସରେ 'ଅଲ୍ ଇଜ୍ ନଟ୍ ଓ୍ବେଲ'।
ଏ ସମ୍ପର୍କରେ ବିଧାୟକ ନରସିଂହ ମିଶ୍ର କହିଛନ୍ତି "କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଛି । କଂଗ୍ରେସକୁ ସୁଦୃଢ଼ କରାଯିବ । ଗାଁକୁ ଗାଁ ବୁଲି ଲୋକଙ୍କୁ ଭେଟିବେ କର୍ମୀ । ରାହୁଲ ଗାନ୍ଧୀଙ୍କ ବାର୍ତ୍ତା କିଭଳି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବୈଠକରେ ନିଷ୍ପତି ହୋଇଛି । କୌଣସି ନା କୌଣସି କାରଣରୁ କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଛି । ଏହା ଦିବାଲୋକରେ ସ୍ପଷ୍ଟ ଯେ ଲୋକମାନେ କଂଗ୍ରେସଠାରୁ ଦୂରେଇ ଯାଉଛନ୍ତି । ସେଥିପାଇଁ ଆଲୋଚନାର ଆବଶ୍ୟକତା ଅଛି । ଏହି ସବୁ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହେବ ଏବଂ ନିଷ୍ପତ୍ତି ନିଆଯିବ । ଦଳ ସଚେତନ ନହେଲେ ଆଗକୁ କୌଣସି ପ୍ରଭାବ ପଡ଼ିବ ନାହିଁ ।"
ଇଟିଭି ଭାରତ, ଭୁବନେଶ୍ବର