ଭୁବନେଶ୍ବର: ଆସୁଛି ପାର୍ବଣ ଋତୁ। ଆଶ୍ୱିନ ମାସ ଆସିଲେ ଧରାପୃଷ୍ଠରେ ଧରାବତରଣ କରିବେ ଦୁର୍ଗତିନାଶିନୀ ମା' ଦୁର୍ଗା । ତେଣୁ ମା'ଙ୍କ ଆଗମନ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ପ୍ରସ୍ତୁତି ପାଇଁ ମୃତ୍ତିକା ଆନୟନ ପୂଜା ହୋଇଯାଇଛି । ଏନେଇ କୁଆଖାଇ ନଦୀ ପଠାରେ ରାଜଧାନୀର ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଏକାଠି ହୋଇ ମାଟି ଅନୁକୂଳ ପାଇଁ ପୂଜା କରିଛନ୍ତି । ଘଣ୍ଟଘଣ୍ଟା, ମୃଦଙ୍ଗ ତୁରୀ ଆଦିର ସ୍ବରରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ପାରମ୍ପରିକ ଢଙ୍ଗରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ଆସି ନଦୀ ପଠାରେ ପୂଜାର୍ଚ୍ଚନା କରିଛନ୍ତି ।
ଏହା ବି ପଢନ୍ତୁ...Watch: ଆସୁଛନ୍ତି ବିଘ୍ନରାଜ, ହାଇଦ୍ରାବାଦରେ ମନ ମୋହୁଛି ବିଭିନ୍ନ ମୁଦ୍ରାର ଗଣେଶ ମୂର୍ତ୍ତି
ପ୍ରଥମେ ନଦୀରେ ବୁଡ଼ ପକାଇ କଳସରେ ପାଣି ଆଣି ଅନୁକୂଳ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ସହ ମାଟି ଅନୂକୁଳର ପୂଜା ବିଧିକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କୁଆଖାଇ ନଦୀପଠା । ଆଜି ମା' ଙ୍କର ପ୍ରଥମ ପୂଜାରେ ୧୦ରୁ ଉର୍ଦ୍ଧ୍ବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ନୟାପଲ୍ଲୀ ଶହୀଦ ନଗର, ଡୁମଡୁମା, ଚନ୍ଦ୍ରଶେଖର ଆଦି ପୂଜା ମଣ୍ଡପ ତରଫରୁ ମୃତ୍ତିକା ଆନୟନ ବା ମାଟି ଅନୁକୂଳ ପୂଜା କରାଯାଇଛି । ସେପଟେ ମହାବୀରଙ୍କ ପୂଜା ପାଇଁ ମଧ୍ୟ ପୂଜା କମିଟି ସଦସ୍ୟମାନେ କୁଆଖାଇ ନଦୀପଠାକୁ ଆସିଥିବା ଦେଖିବାକୁ ମିଳିଛି । ଏନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଖୁସି ବ୍ୟକ୍ତ କରିଛନ୍ତି କମିଟି ସଦସ୍ୟ ।