ଭୁବନେଶ୍ବର: ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତର ପ୍ରଥମ ଦିନ ପୁରୀ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଦ୍ବିତୀୟ ଦିବସରେ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି । ରାଷ୍ଟ୍ରପତି ପିଲାଟି ଦିନରୁ ଶିକ୍ଷା ଗ୍ରହଣ କରିଥିବା ସ୍କୁଲ ଓ ରହୁଥିବା ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି (president draupadi murmu to visit her old school during two day of odisha visit) । ତାହାକୁ ନଜରରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି ।
ରାଷ୍ଟ୍ରପତି ମୁର୍ମୁ ପିଲାଟି ଦିନରୁ ଶିକ୍ଷା ଗ୍ରହଣ କରିଥିବା ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସ୍କୁଲର ଭିତ୍ତିଭୂମି ସୁଦୃଢ଼ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ ଏହି ବିଦ୍ୟାଳୟ କ୍ୟାମ୍ପସ ଏବେ ଚଳଚଞ୍ଚଳ ହୋଇପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ୧୧ ତାରିଖରେ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ସେଠାରେ ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଲାଗି ପଡ଼ିଛନ୍ତି । ବିଦ୍ୟାଳୟର ଡ୍ରମ୍ ଟିମ୍ ପକ୍ଷରୁ ରିହର୍ସାଲ ଚାଲିଛି । ରାଷ୍ଟ୍ରପତି କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଏହି ଡ୍ରମ୍ ଟିମ୍ ସ୍କୁଲ ମଧ୍ୟକୁ ପାଛୋଟି ନେବେ । ବହୁତ କମ୍ ସମୟ ରହିବାକୁ ଥିବାବେଳେ ସ୍କୁଲର ଆଲୁମିନି ଓ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ଆସୁଛନ୍ତି ରାଷ୍ଟ୍ରପତି, ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ