ଓଡିଶା

odisha

By

Published : Apr 13, 2023, 6:30 PM IST

ETV Bharat / state

ଖରା ବଢିଲେ ପରିସ୍ଥିତି ଦେଖି ନିଷ୍ପତ୍ତି, ଶ୍ରମିକଙ୍କୁ 11ରୁ 3 କାମ ନକରିବାକୁ ନିର୍ଦ୍ଦେଶ

ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

heat wave in odisha
heat wave in odisha

heat wave in odisha

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ। ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭିନ୍ନ ବିଭାଗମାନଙ୍କ ସହ ସେ ଆଲୋଚନା କରିଛନ୍ତି । ଏନେଇ ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଯୁଗ୍ମ ଏସଆରସି ପଦ୍ମନାଭ ବେହେରା, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ତେବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଗ୍ରୀଷ୍ମପ୍ରବାହକୁ ନେଇ ଆଗରୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକ ମାନଙ୍କ ପାଇଁ ଦିନ 11ରୁ 3 କାମ ନ କରିବାକୁ ନିର୍ଦ୍ଦେଶ ରହିଛି । ଯାହାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ଶ୍ରମିକ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟସ୍ଥଳୀ କରିବେ । ସ୍କୁଲ ଓ ଅଙ୍ଗନବାଡି ଏପ୍ରିଲ 16 ଯାଏଁ ବନ୍ଦ ଘୋଷଣା ହୋଇଛି । ଯଦି ଖରା ବଢେ ତେବେ ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ । କଲେଜରେ ପରୀକ୍ଷା ଚାଲିଛି । ସରିବା ପରେ ଖରା ଦେଖି ନିଷ୍ପତ୍ତି ନିଆଯିବ ।

ସେହିପରି ବସରେ ସିଟ ସଂଖ୍ୟାରୁ ଅଧିକ ଯାତ୍ରୀ ନ ନେବାକୁ କୁହାଯାଇଛି । ଯାହାର ପରିବହନ ବିଭାଗ ତଦାରଖ କରିବେ । ଦରକାର ପଡିଲେ, ସକାଳ 11ରୁ 3 ଭିତରେ ରୁଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି । ବସରେ ବରଫ, ORS, ପାଣି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରୁଟରେ ଜଳଛତ୍ର ଖୋଲିବାକୁ କୁହାଯାଇଥିବା ବେଳେ ଗାଁ ରେ ନଳକୂପ ମରାମତି ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ଼ ଓ ମେଡିକାଲ ବ୍ୟବସ୍ଥା କରାଯାଇଥିବା ବେଳେ ରୋଗୀ ଆସିଲେ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ।

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଅଂଶୁଘାତଜନିତ ମୃତ୍ୟୁ ରୋକିବା ପାଇଁ ଜନସାଧାରଣମାନେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ କୁଣ୍ଡର ବ୍ୟବସ୍ଥା ନିମନ୍ତେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ଅଞ୍ଚଳରୁ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଲେ ଏହାର ଯୁଗ୍ମ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଲେ ତାହା ଜିଲ୍ଲା ପ୍ରଶାସନ ସ୍ତରରେ ତୁରନ୍ତ ତଦନ୍ତ କରାଯାଇ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୫୦,୦୦୦ ଟଙ୍କା ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ସଚେତନତା ପାଇଁ ଗ୍ରୀଷ୍ମ ପ୍ରବାହ ଜନିତ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟରମାନ ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରରେ ବଣ୍ଟନ କରାଯାଉଛି । ଏହା ବ୍ୟତୀତ ଚଳିତ ବର୍ଷ ବିଭିନ୍ନ ଗଣମାଧ୍ୟମରେ ଗ୍ରୀଷ୍ମପ୍ରବାହରୁ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚାଇବାର କାର୍ଯ୍ୟକ୍ରମ କରାଯାଉଛି । ତେବେ ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାପାଳ ଏବଂ ବିଭାଗମାନଙ୍କୁ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details