ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା ଭୁବନେଶ୍ବର :ଯାହା ଆଜି ଓଡିଶା କରେ, ତାହା ଆସନ୍ତାକାଲି ଦେଶ ଭାବେ । ଏହି କ୍ରମରେ ରାସାୟନିକ ବିପର୍ଯ୍ୟୟର ମୁକାବିଲା ଓ ଏହିଭଳି ଆପଦକାଳୀନ ସ୍ଥିତିର ସାମ୍ନା କରିବା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା । ଫଳ ସ୍ୱରୂପ ଆଜି ୧୦ ଜିଲ୍ଲାର ୨୮ଟି ଶିଳ୍ପ ଅନୁଷ୍ଠାନ ଓ ପାରାଦ୍ବୀପ ପୋର୍ଟରେ ରାସାୟନିକ ବିପର୍ଯ୍ୟୟ ସମ୍ବନ୍ଧୀୟ ମକ ଏକ୍ସରସାଇଜ ଅନୁଷ୍ଠିତ ହୋଇଛି । ଏହି ଭଳି ମକ ଏକ୍ସରସାଇଜ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ।
ଶିଳ୍ପ ଅନୁଷ୍ଠାନରେ କୌଣସି ପ୍ରକାର ରାସାୟନିକ ଗ୍ୟାସ ଲିକ, ବିସ୍ଫୋରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦୁର୍ଘଟଣାରେ ତ୍ଵରିତ ବେଗରେ ପ୍ରଭାବଶାଳୀ ଭାବେ ପ୍ରଶମନ କରିବା ମକ ଏକ୍ସରସାଇଜର ମୁଖ୍ୟ ଉଦ୍ଦେଶ୍ୟ । ସେ ସଂପର୍କରେ ସତର୍କ ଓ ପ୍ରସ୍ତୁତ ରହିବା ଦରକାର । ଏହା ସେ ସଂପର୍କିତ ଏକ ଜରୁରୀକାଳୀନ ତାଲିମ । ଏଥିରେ ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା, ଜାତୀୟ ଓ ରାଜ୍ୟସ୍ତରୀୟ ଉଦ୍ଧାରକାରୀ ଦଳ, ସ୍ଵେଚ୍ଛାସେବୀ ଓ ପ୍ରଭାବିତ ହେବାକୁ ଥିବା ଜନସାଧାରଣ ସମସ୍ତେ ଏହି ଭଳି ପ୍ରାକ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହି ମକ ଏକ୍ସରସାଇଜରେ ଜରୁରୀକାଳୀନ ପ୍ରତିକ୍ରିୟାକୁ ଶୃଙ୍ଖଳିତ, ଖାଲିଥିବା ସ୍ଥାନ ଚିହ୍ନଟ, ପ୍ରାରମ୍ଭିକ ଚେତାବନୀ, ସତର୍କତା, ନିରାପତ୍ତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଶିଳ୍ପାନୁଷ୍ଠାନ ଗୁଡ଼ିକର ଗଚ୍ଛିତ ରାସାୟନିକ ପଦାର୍ଥ ଏବଂ ବିପଦଜନକ ଓ ଦହନଶୀଳ ସାମଗ୍ରୀଗୁଡ଼ିକ ଆଧାରରେ ଚିହ୍ନଟ କରି ମକ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ....୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ, ପ୍ରଥମ ଦିନରେ ୩୮୯ ସ୍କୁଲ ଲୋକାର୍ପିତ
ଆପଦକାଳୀନ ପରିସ୍ଥିତିର ସାମ୍ନା କରିବାର ପ୍ରସ୍ତୁତି ସ୍ଵରୂପ ସ୍ଥାନୀୟ ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏନଡିଆରଏଫ, ଓଡ୍ରାଫ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଶିଳ୍ପାନୁଷ୍ଠାନ, ପୋଲିସ, ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ, ପଞ୍ଚାୟତିରାଜ ପ୍ରତିନିଧି ଏହି ଭଳି ପ୍ରାକ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହା ସହ ଫ୍ୟାକ୍ଟ୍ରି, ଓ ବଏଲର ନିର୍ଦ୍ଦେଶାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଭାରତୀୟ ସେନା, ବାୟୁସେନା, ନୌସେନା, ସିଆଇଏସଏଫ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ମକ ଏକ୍ସରସାଇଜ ହେବା ପରେ ଭୁବନେଶ୍ଵର ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟରରେ ଆୟୋଜିତ ହୋଇଛି ଭିସି ଜରିଆରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୧୦ ଜିଲ୍ଲା ପ୍ରଶାସନର ଅଧିକାରୀ, ଚିହ୍ନଟ ଶିଳ୍ପାନୁଷ୍ଠାନର ପ୍ରତିନିଧି, ପାରାଦ୍ଵିପ ପୋର୍ଟ ଅଥରଟିର ପ୍ରତିନିଧି ଏହି ପ୍ରାକ ପ୍ରସ୍ତୁତି ସଂପର୍କରେ ନିଜ ନିଜର ଅନୁଭୂତି ଓ ମତ ଏବଂ ପ୍ରସ୍ତାବ ଆଗତ କରିଛନ୍ତି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଡଃ ଜ୍ଞାନ ଦାସ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ଭଳି ମକ ଏକ୍ସରସାଇଜ ଦେଶରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି । ମିଳିଥିବା ଅଭିଜ୍ଞତା ଆଧାରରେ ଆଗାମୀ ଦିନରେ ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପାଇଁ ସ୍ଵତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରାଯିବ ।
ଇଟିଭି ଭାରତ,ଭୁବନେଶ୍ବର