ଭୁବନେଶ୍ବର:ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଏହା ସହିତ କାଲି ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରମିଳା ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ଆଉ ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡି ବିଧାୟକ । ଏଠାରେ ପ୍ରଶ୍ନ ଉଠିଛି ପ୍ରମିଳା ମଲ୍ଲିକଙ୍କୁ କାହିଁକି ବାଚସ୍ପତି ପ୍ରାର୍ଥୀ କଲା ବିଜେଡି ? ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଗତ କରିବା ପରେ ବିଜେଡିର ଏହି ଷ୍ଟ୍ରାଟେଜିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ହେବା ପରେ ଦୀର୍ଘ ହେବ ଧରି ଖାଲି ପଡ଼ିଛି ବିଧାନସଭାର ବାଚସ୍ପତି ପଦ । ଗତ ଜୁନ ୩ ତାରିଖରେ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି । ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ । ଆସନ୍ତାକାଲି ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ସହ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ।
ଏହା ବି ପଢନ୍ତୁ- ପ୍ରମିଳା ନୂଆ ବାଚସ୍ପତି: ଆଜି ଭରିଲେ ନାମାଙ୍କନ, କାଲି ନେବେ ଦାୟିତ୍ବ
୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ପ୍ରମିଳା । ପ୍ରମିଳା ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ୧୯୬୩ ମସିହାରେ ଜନ୍ମିତ ପ୍ରମିଳା ବିଜେଡିର ବହୁ ପଦ ପଦବୀରେ ରହି ଆସୁଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି । ବାଚସ୍ପତି ଭାବେ ନାମାଙ୍କନ ଭରିବା ପୂର୍ବରୁ ପ୍ରମିଳା ବିଜେଡିର ଉପସଭାପତି ଓ ରାଜସ୍ବ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।