ଭୁବନେଶ୍ବର: ଚୀନରେ କୋରୋନା ମାମଲା ବୃଦ୍ଧି ପାଇବା ପରେ ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଅଜିତ କୁମାର ମହାପାତ୍ର (Special Health Secretary Dr Ajit Mahapatra) । ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ସତର୍କ ନଜର ରଖାଯାଇଛି । କେନ୍ଦ୍ରର RTPCR ରିପୋର୍ଟ ରାଜ୍ୟରେ କଡ଼ାକଡ଼ି ଭାବରେ ଲାଗୁ କରାଯିବା ସହ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି । ଆସନ୍ତା ମାର୍ଚ୍ଚ ମାସରେ ଚତୁର୍ଥ ଲହରୀ ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି ।
ସାରା ବିଶ୍ବରେ ୩ ଲକ୍ଷ ୬ ହଜାର ୪୫୦ ମାମଲା କୋରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଜାପାନରେ ଅଧିକ ମାମଲା ଚିହ୍ନଟ ହୋଇଛି । ଯାହାକି ୮୬ ହଜାର ୯୨୪ । କୋରିଆରେ ୮୧ ହଜାର, USରେ ୮୬୫୦, ଫ୍ରାନ୍ସରେ ୧୫ ହଜାର, ବ୍ରାଜିଲରେ ୪୧ ହଜାର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ୭ଦିନ ସଂକ୍ରମଣର ହାର ଦେଖିଲେ ୫ ଲକ୍ଷ ୧୧୮୧ । ତେବେ ଏହା ମଧ୍ୟରେ ଯଦି ଭାରତକୁ ନଜର ପକାଇବା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ୧୧, ମହାରାଷ୍ଟ୍ର ୧୬, କର୍ଣ୍ଣାଟକରେ ୩୪, କେରଳରେ ୫୨, ଓଡି଼ଶାରେ ଖୋର୍ଦ୍ଧା ଓ କୋରାପୁଟରେ ୨ଟି ମାମଲା ଚିହ୍ନଟ ହୋଇଛି।
ରାଜ୍ୟରେ ଯେପରି ସଂକ୍ରମଣକୁ ରୋକାଯାଇପାରିବ ସେଥିଲାଗି କେନ୍ଦ୍ରର RTPCR ରିପୋର୍ଟ ରାଜ୍ୟରେ କଡ଼ାକଡ଼ି ଭାବରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। "ରାଜ୍ୟରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଏଭଳି କୌଣସି ଲୋକଙ୍କ ଦେହରେ ଲକ୍ଷଣ ରହିଛି ତେବେ ସେମାନଙ୍କୁ ଟେଷ୍ଟ କରିବାକୁ ଅନୁରୋଧ । ଆସନ୍ତା ବିଶ୍ଵକପ ହକି ସମୟରେ ବେଶ ସତର୍କତା ଅବଲମ୍ବନ କରାଯାଉଛି। ଯେହେତୁ ବାହାର ଦେଶରୁ କିଛି ହକି ବିଶ୍ଵକପ ପାଇଁ ହକି ପ୍ରେମୀମାନେ ଆସିବେ। ତେବେ ରାଜ୍ୟକୁ ସଂକ୍ରମଣ ଆସିବାର ସମ୍ଭାବନା ରହିଛି। ଏହାକୁ ଏଡ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି" ବୋଲି ସେ କହିଛନ୍ତି ।