ଭୁବନେଶ୍ବର: ଦେଶରେ ହେବ କି ଆଗୁଆ ନିର୍ବାଚନ ? ହଠାତ କେନ୍ଦ୍ର ଡାକିଛି ସ୍ବତନ୍ତ୍ର ଅଧିବେଶନ । ସେପ୍ଟେମ୍ବର 18 ରୁ ସ୍ବତନ୍ତ୍ର ଅଧିବେଶନ । 5 ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଡାକରା ହୋଇଥିବା ସ୍ବତନ୍ତ୍ର ଅଧିବେଶନ । ଅଧିବେଶନରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବାବେଳେ ଆଗୁଆ ନିର୍ବାଚନ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଥିବା କୁହାଯାଇଛି ।
ଏହାବି ପଢନ୍ତୁ- Parliament Special Session: କେନ୍ଦ୍ର ସରକାର ଆଣିପାରନ୍ତି ୱାନ ନେସନ ୱାନ ଇଲେକ୍ସନ ବିଲ
ଆସନ୍ତା ସେପ୍ଟେମ୍ବର 18ରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ । 5 ଦିନିଆ ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ସଂସଦର ସ୍ବତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଚାନକ ସ୍ବତନ୍ତ୍ର ଅଧିବେଶନ ଡକାଯିବ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ବଢ଼ାଇ ଦେଇଛି । ନଭେମ୍ବର - ଡିସେମ୍ବରରେ ହେବାକୁ ଥିବା 5 ରାଜ୍ୟର ନିର୍ବାଚନ ସହ ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ମୋଦି ସରକାର ମନସ୍ଥ କରିଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ । ଅଧିବେଶନରେ ଏକକ ନିର୍ବାଚନ ବିଲ ଆସିପାରେ ବୋଲି କୁହାଯାଉଛି ।
‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନ ହେଲା ହୋଇ ଆସୁଛି । ଏନେଇ ଚଳିତବର୍ଷ ଜାନୁଆରୀରେ ଆଇନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ 6ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ । କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବାବେଳେ ଆମ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ସମ୍ବିଧାନର ଅନୁଚ୍ଛେଦ 85 ଅନୁସାରେ ସରକାର ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିପାରିବେ । 2014 ମସିହାରେ କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ଦେଶରେ ଏକକ ନିର୍ବାଚନ କରିବାକୁ ଚାହୁଁଛନ୍ତି । ସମ୍ଭାବନା ଯଦି ସତ ହୁଏ, ତେବେ ଓଡ଼ିଶା ସରକାର ବି ଏକାସାଙ୍ଗରେ ବିଧାନସଭା ଭୋଟକୁ ଡେଇଁବାକୁ ପ୍ରସ୍ତୁତ ହୋଇ ବସିଛନ୍ତି । ଶାସକ ଦଳ ପୂରା ଦମରେ ଏଥିପାଇଁ ଦିନ ରାତି ଏକ କରି ଦେଇଛି । ତେବେ ଏଭଳି ଚର୍ଚ୍ଚା ଭିତରେ ଓଡ଼ିଶାରେ ଆରମ୍ଭ ହୋଇଛି ବୟାନ ବାଜି ।