ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଭାରତ ନ୍ୟାୟ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଜାନୁଆରୀ ୧୪ ତାରିଖରୁ ଭାରତ ନ୍ୟାୟ ଯାତ୍ରା ହିଂସାଗ୍ରସ୍ତ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । କଂଗ୍ରେସ ନେତାଙ୍କ ଏହି ଯାତ୍ରା ଦୀର୍ଘ ୬୨୦୦ କିମି ରାସ୍ତା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଅତିକ୍ରମ କରି ମହାରାଷ୍ଟ୍ରରେ ପହଞ୍ଚିବ । ଭାରତ ନ୍ୟାୟ ଯାତ୍ରାରେ ୧୪ ରାଜ୍ୟର ୮୫ ଜିଲ୍ଲା ଅତିକ୍ରମ କରାଯିବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ପଶ୍ଚିମ ଓଡ଼ିଶାର ବରଗଡ଼ ଆସିବେ ବୋଲି ଜଣାପଡିଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି ।
'ଓଡିଶାର ରାଜନୀତିରେ ପରିବର୍ତ୍ତନ ଆଣିବେ ରାହୁଲ': କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ଆରମ୍ଭ ହେଉଛି । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୬୨୦୦ କିଲୋମିଟର ରାସ୍ତା ରାହୁଲ ଅତିକ୍ରମ କରିବେ । ଏହି କାର୍ଯ୍ୟକ୍ରମରେ ଓଡିଶା ମଧ୍ୟ ଅନ୍ତର୍ଭୁକ୍ତ ଅଛି । ୮୫ ଜିଲ୍ଲା ମଧ୍ୟରୁ ଓଡିଶାର ବରଗଡ ଜିଲ୍ଲା ମଧ୍ୟ ରହିଛି । ୩ଟି ପ୍ରସଙ୍ଗରେ ରାହୁଲ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବେ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟକୁ ନେଇ ସେ ଲୋକଙ୍କ ପାଖକୁ ଯିବେ । କଂଗ୍ରେସର କର୍ମୀ ଓ ଜନସାଧାରଣ ରାହୁଲଙ୍କ ଅପେକ୍ଷାରେ ରହିଛନ୍ତି । କଂଗ୍ରେସ ବିଗ୍ରେଡ୍ ଉତ୍ସାହିତ ଅଛି । ଓଡିଶାର ରାଜନୀତି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ ବୋଲି ଆମର ବିଶ୍ବାସ ।"
ଏହା ମଧ୍ୟ ପଢ଼ନ୍ତୁ...୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ