ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଦୁର୍ବଳ ହେଉଛି କଂଗ୍ରେସ ! ଭୁବନେଶ୍ବର: ଏକଦା କଂଗ୍ରେସର ଦୁର୍ଗ କୁହାଯାଉଥିବା ଝାରସୁଗୁଡାରେ ଏବେ କଂଗ୍ରେସ ଭୁଶୁଡିବାରେ ଲାଗିଛି । କିଛିଦିନ ତଳେ ଝାରସୁଗୁଡାର କଂଗ୍ରେସ ହେଭିୱେଟ ମହେନ୍ଦ୍ର ନାୟକ ହାତ ଛାଡି ଶଙ୍ଖ ଫୁଙ୍କିଥିଲେ । ପୂର୍ବଦିନ ରାତିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସକାଳ ବେଳକୁ ଭୁବନେଶ୍ବରରେ ବିଜେଡିରେ ଯୋଗ ଦେଇଥିଲେ । ହେଲେ ଗତକାଲି ଝାରସୁଗୁଡା ଜିଲ୍ଲା ସଭାପତି ଅଶୋକ ମିଶ୍ର ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ, ଆଉ ସନ୍ଧ୍ୟାରେ ପୁଣି ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହା ସ୍ପଷ୍ଟ ପ୍ରମାଣିତ କରୁଛି, ଝାରସୁଗୁଡାରେ କଂଗ୍ରେସରେ ସବୁ କିଛି ଠିକ ନାହିଁ ।
ଅମାନତ ରକ୍ଷା କରିପାରିବ ତ କଂଗ୍ରେସ ?: ଆଗକୁ ଉପନିର୍ବାଚନ ଥିବାବେଳେ ଝାରସୁଗୁଡା ଜିଲ୍ଲା କଂଗ୍ରେସର ଟାଣୁଆ ନେତା ଦଳ ଛାଡିବା କଂଗ୍ରେସ ପାଇଁ ବଡ଼ ଝଟକା । ୨୦୨୪ରେ ପିସିସି ସଭାପତିଙ୍କ ୯ରୁ ୯୦ ଲକ୍ଷ୍ୟ ଉପରେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଜଣଙ୍କ ପରେ ଜଣେ ତୁଙ୍ଗ ନେତା ଦଳ ପ୍ରତି ବିମୁଖ ହେବା ଝାରସୁଗୁଡା କଂଗ୍ରେସକୁ ଦୁର୍ବଳ କରିବାରେ ଲାଗିଛି । ବର୍ତ୍ତମାନ ଝାରସୁଗୁଡାରେ କଂଗ୍ରେସ ସ୍ଥିତି ଯାହା ବୟାନ କରୁଛି, ପୂର୍ବ ଉପନିର୍ବାଚନ ଭଳି କଂଗ୍ରେସ ନିଜର ଅମାନତ ରକ୍ଷା କରିବାରେ ସଫଳ ହେବ ନା ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ଝାରସୁଗୁଡା ପାଇଁ ରାଜନୈତିକ ବାର୍ତ୍ତା କଣ ଦେଉଛି, ତାହା ଉପରେ ସମସ୍ତଙ୍କ ନଜର । କଂଗ୍ରେସ ନେତା ନେତୃତ୍ବ ଆଳରେ ଜନସାଧାରଣଙ୍କ ମୂଳ ଉପଲବ୍ଧି ଠାରୁ ଦୂରେଇ ରହିଛି । ସେପଟେ କଂଗ୍ରେସ କହିଛି ଶାସକ ଦଳ ଅର୍ଥର ଲୋଭ ଦେଖାଇ କଂଗ୍ରେସକୁ କିଣିବାକୁ ପ୍ରୟାସ କରୁଛି । ହେଲେ ସେଥିରେ ସେମାନେ ସଫଳ ହୋଇପାରିବେ ନାହିଁ ।
'ଜାତୀୟସ୍ତରରେ କଂଗ୍ରେସର ଯେଉଁଭଳି ଉତ୍ଥାନ ହେଉଛି, ତାର କୌଣସି ପ୍ରଭାବ ଓଡିଶାରେ ନାହିଁ': ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଲା । ଶାସକ ବିଜେଡି ପକ୍ଷରୁ ଭୋଟ ମ୍ୟାନେଜମେଣ୍ଟକୁ ଜୋରଦାର କରାଯାଇଥିବା ବେଳେ ବିରୋଧୀ ହାଲୁକା ଭାବରେ ରଣନୀତି ଆପଣାଇବା ଦେଖିବାକୁ ମିଳୁଛି । ଏନେଇ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଓଡିଶା କଂଗ୍ରେସ ଯେଭଳି ଭାବରେ ଚାଲିଛି ଏବଂ ଜାତୀୟସ୍ତରରେ କଂଗ୍ରେସର ଯେଉଁଭଳି ଉତ୍ଥାନ ହେଉଛି ତାର କୌଣସି ପ୍ରଭାବ ଓଡିଶା କଂଗ୍ରେସରେ ଦେଖିବାକୁ ମିଳୁନି । ରାହୁଲ ଗାନ୍ଧୀ ଯେଉଁ ତତ୍ତ୍ବକୁ ନେଇ ଆଗକୁ ବଢ଼ୁଛନ୍ତି, ତାର କାଣିଚାଏ ଅଂଶ ଓଡ଼ିଶାରେ ହୋଇ ପାରୁନାହିଁ । କଂଗ୍ରେସ କଣ ବାର୍ତ୍ତା ଦେଇଛି ଝାରସୁଗୁଡାରେ ? କଂଗ୍ରେସର ଏଜେଣ୍ଡା ନାହିଁ କିମ୍ବା ସ୍ଲୋଗାନ ନାହିଁ । କଂଗ୍ରେସ ନେତାମାନେ ନେତୃତ୍ବକୁ ସନ୍ତୁଷ୍ଟ କରିବାକୁ କାର୍ଯ୍ୟ କରୁଛନ୍ତି ଲୋକଙ୍କ ପାଇଁ ନୁହେଁ । କଂଗ୍ରେସ ଲୋକପ୍ରିୟତା ହରାଇଛି । ଝାରସୁଗୁଡାରେ ୪୦ ପ୍ରତିଶତ ହେଉଛନ୍ତି ଆଦିବାସୀ । ଯେଉଁ ସାମାଜିକ ନ୍ୟାୟ କଥା ରାହୁଲ ଗାନ୍ଧୀ କହୁଛନ୍ତି, ତାର କୌଣସି ପ୍ରଭାବ ଓଡିଶା କଂଗ୍ରେସରେ ନାହିଁ । ଏଥିପାଇଁ ବିଜେଡିର ବିକଳ୍ପ ଭାବେ ଲୋକେ ବିଜେପିକୁ ଦେଖୁଛନ୍ତି ।"
'ଅର୍ଥ ଲୋଭ ଦେଖାଇ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ଶାସକ ଦଳ': ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଅଶୋକ ମିଶ୍ରଙ୍କୁ ଶାସକ ଦଳ ଅର୍ଥର ଲୋଭ ଦେଖାଇ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ କଂଗ୍ରେସ ଅଧିକ ଶସକ୍ତ ହେଉଛି, ପିସିସି ସଭାପତି ନିଜେ ନିର୍ବାଚନ ପରିଚାଳନା କରୁଛନ୍ତି । ବିଧାୟକ ମାନେ ପ୍ରଚାର କରୁଛନ୍ତି । ମୁଁ ମଧ୍ୟ ପ୍ରଚାରରେ ଯିବି । କଂଗ୍ରେସ ଭଲ ପ୍ରଦର୍ଶନ କରିବ ।" ତେବେ ୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ୨୦୨୨ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ କିଶୋର ପଟେଲ ବିଜେପିର ରାଧାରାଣୀ ପଣ୍ଡାକୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଯାଇଥିଲେ । ତେବେ ଝାରସୁଗୁଡା ଉପନିର୍ବାଚନ ଫଳାଫଳ କହିବ କଂଗ୍ରେସ କେତେ ସୁଦୃଢ଼ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର