ଓଡିଶା

odisha

By

Published : Aug 12, 2023, 5:12 PM IST

ETV Bharat / state

ଅନାସ୍ଥା ଆଲୋଚନାରେ ରାଜନୀତି ହେଲା; ମଣିପୁରବାସୀ ପାଇଲେ କଣ ?

ମଣିପୁର ହିଂସା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ତେବେ ଏନେଇ ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ରାଜନୈତିକ ବୟାନବାଜି କଲେ । ଏକାଧିକ ସାଂସଦ ଗୃହରୁ ନିଲମ୍ବିତ ହେଲେ । ହେଲେ ମଣିପୁରବାସୀଙ୍କୁ କଣ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ଅନାସ୍ଥା ଆଲୋଚନାରୁ ମଣିପୁରବାସୀ କଣ ପାଇଲେ ?
ଅନାସ୍ଥା ଆଲୋଚନାରୁ ମଣିପୁରବାସୀ କଣ ପାଇଲେ ?

ଅନାସ୍ଥା ଆଲୋଚନାରୁ ମଣିପୁରବାସୀ କଣ ପାଇଲେ ?

ଭୁବନେଶ୍ବର: ଲୋକସଭାରେ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଥିଲା ବଡ଼ ସୁଯୋଗ, ଦେଶବାସୀଙ୍କ ଆଗରେ ନିଜକୁ ଉପସ୍ଥାପନ କରିବାକୁ । ହେଲେ ହେଲା କଣ । ଆରମ୍ଭରୁ କଂଗ୍ରେସ ନେତା ଗୌରବ ଗୋଗୋଇ ପିନ୍‌ପଏଣ୍ଟେଡ୍‌ ଜବାବ ରଖିଥିଲେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଚୁପ କାହିଁକି, କାହିଁକି ମୋଦି ସେଠାକୁ ଯାଉନାହାନ୍ତି ଏବଂ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କାହିଁକି କରାଯାଇନାହିଁ । କିନ୍ତୁ ରାହୁଲ ଗାନ୍ଧୀଙ୍କ ଆକ୍ରମଣାତ୍ମକ ଭାଷଣ ପୁରା ଗେମକୁ ବିଗାଡିଦେଲା । ଅନାବଶ୍ୟକୀୟ ଆକ୍ରମଣାତ୍ମକ ଢଙ୍ଗ ରାହୁଲଙ୍କୁ ଏବଂ ବିରୋଧିଙ୍କୁ ଅଡୁଆରେ ପକାଇଥିଲା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।

'ପୁରା ଶୋ'କୁ ହାଇଜାକ୍‌ କରିନେଲା ଏନ୍‌ଡିଏ': ସେ କହିଛନ୍ତି, "ରାହୁଲଙ୍କ ଆକ୍ରମଣାତ୍ମକ ଭାଷଣ ଗୃହରେ ଆବଶ୍ୟକ ନଥିଲା । ଏହା ବିରୋଧୀଙ୍କୁ ବ୍ୟାକଫୁଟକୁ ଠେଲିଦେଲା । ଶାସକ ଏନ୍‌ଡିଏ ୨୦୨୪ ନିର୍ବାଚନ ପାଇଁ କାନ୍‌ଭାସ ପ୍ରସ୍ତୁତ କରିଥିଲା । କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ପାଖକୁ ଯିବ ସେକଥା ଠିକଣା ଢଙ୍ଗରେ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅମିତ ଶାହ ମଧ୍ୟ ମାପିଚୁପି ଉତ୍ତର ରଖିଥିଲେ । ପୁରା ଶୋ'କୁ ହାଇଜାକ୍‌ କରିନେଇଥିଲା ଶାସକ ଏନ୍‌ଡିଏ ।" ରାହୁଲ ଗାନ୍ଧି ପରବର୍ତ୍ତୀ ସମୟରେ ସାମ୍ବାଦିକ ସମ୍ମିଳନୀରେ ଯେପରି ରକ୍ଷଣାତ୍ମକ ଢଙ୍ଗରେ କହିଲେ, ଯଦି ତାକୁ ଗୃହରେ ଭଲ ଭାବରେ ରଖିପାରିଥାନ୍ତେ କଂଗ୍ରେସ ହୁଏତ ଫାଇଦା ପାଇଥାନ୍ତା ବୋଲି କହିଛନ୍ତି ଅକ୍ଷୟ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା

'ଅନାସ୍ଥା ପ୍ରସ୍ତାବ ଆଲୋଚନାରୁ ମଣିପୁରବାସୀ ପାଇଲେ କଣ': ଅନ୍ୟପକ୍ଷରେ କୋଟିଏ ଟଙ୍କାର ପ୍ରଶ୍ନ ହେଉଛି ଅନାସ୍ଥା ପ୍ରସ୍ତାବ ଆଲୋଚନାରୁ ମଣିପୁରବାସୀ ପାଇଲେ କଣ । ଏହି ପ୍ରଶ୍ନ କରିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ସେ କହିଛନ୍ତି, "ଶାସକ -ବିରୋଧୀଙ୍କ ତିକ୍ତତା ଏପରି ସ୍ତରରେ ପହଞ୍ଚିଛି ଯେ ଗୃହ ଏକ ରଣକ୍ଷେତ୍ରରେ ପରିଣତ ହୋଇଗଲା । ଏପରିକି ଅଧିର ରଞ୍ଜନ ଚୌଧୁରୀଙ୍କୁ ସସ୍‌ପେଣ୍ଡ କରିଦିଆଗଲା । ପ୍ରଥମେ ଏହା ପ୍ରିଭିଲେଜ କମିଟିକୁ ଯାଇଥାନ୍ତା । ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା । କିନ୍ତୁ ସେପରି କରାଗଲା ନାହିଁ । ସେହିପରି ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ହୋଇପାରିଲା ନାହିଁ । ସଞ୍ଜୟ ସିଂହ ଏବଂ ପରେ ରାଘବ ଚଢାଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଗଲା । ଏଥିରୁ ସହଜରେ ଅନୁମାନ କରାଯାଇପାରେ ଶାସକ-ଏନ୍‌ଡିଏ ଏବଂ ବିରୋଧି -ଇଣ୍ଡିଆ ଭିତରେ ତିକ୍ତତା କେଉଁ ସ୍ତରରେ ପହଞ୍ଚିଛି ।" ଏହା ଭାରତୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Rahul slams PM Modi: 'ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସିକି ଜବାବ ଦେବା ଅଶୋଭନୀୟ'

ମଣିପୁର ପ୍ରସଙ୍ଗ କେବଳ ପ୍ରସଙ୍ଗ ହୋଇରହିଗଲା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ଗୃହରେ ହିଁ ଶାସକ ବିରୋଧୀ ଯୁଦ୍ଧଂଦେହୀ ଡାକରା ଦେଇସାରିଛନ୍ତି । ବିରୋଧୀଙ୍କ ଲୁଜ୍‌ ବଲ୍‌ର ଫାଇଦା ଉଠାଇ ଶାସକ ଦଳ ଚୌକା ଛକା ବର୍ଷଣ କରିଛି । ଆଉ ଇଣ୍ଡିଆ ମେଣ୍ଟ ଯେତିକି କାନ୍‌ଭାସରେ ନିର୍ବାଚନୀ ରଙ୍ଗ ଲଗାଇବା କଥା ତାହା ଲଗାଇବାରେ ଫେଲ୍‌ ମାରିଛି । ଦେଖିବାର କଥା, ଆଗାମୀ ନିର୍ବାଚନରେ ଏହି ବୟାନବାଜିର କଣ ପ୍ରଭାବ ପଡୁଛି । ବଡ଼କଥା ହେଲା ମଣିପୁର ପ୍ରସଙ୍ଗରେ ଶାସକ- ବିରୋଧୀ ଏକ ହୋଇ ଦେଶର ସ୍ବାର୍ଥ ପାଇଁ ଲଢେଇ କରିବାର ଥିଲା । ଏକାଠି ହୋଇ ସମସ୍ୟାର ସମାଧାନର ବାଟ ଖୋଜିଥାନ୍ତେ । କିନ୍ତୁ ସେପରି କିଛି ହେଲା ନାହିଁ । ଅର୍ଥାତ ମଣିପୁର ପ୍ରସଙ୍ଗ କେବଳ ପ୍ରସଙ୍ଗ ହୋଇରହିଗଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details