ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ଆଜି ବି ସଂସଦର ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଅଚଳାବସ୍ଥା ଲାଗି ରହିଛି । ଜାରି ରହିଛି ଏନ୍ଡିଏ ବନାମ ଇଣ୍ଡିଆର ଲଢେଇ । କଂଗ୍ରେସ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତୁ ଦାବି କରି ଅଡ଼ି ବସିଛି ବିରୋଧୀ ମେଣ୍ଟ ଇଣ୍ଡିଆ । ଏହାରି ଭିତରେ ବଡ଼ ପ୍ରଶ୍ନ ହେଲା, କେନ୍ଦ୍ରରେ ଇଣ୍ଡିଆ ବନାମ ଏନ୍ଡିଏ ଲଢେଇର କି ପ୍ରଭାବ ପଡିବ ଓଡିଶା ରାଜନୀତି ଉପରେ ଆଗାମୀ ନିର୍ବାଚନରେ ।
'ରାଜ୍ୟରେ ଏବଂ କେନ୍ଦ୍ରରେ ସରକାର କରିବ ଇଣ୍ଡିଆ': ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "୨୬ ରାଜନୈତିକ ଦଳକୁ ନେଇ ତିଆରି ହୋଇଥିବା ବିରୋଧୀ ମେଣ୍ଟ ଆଗାମୀ ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାର ଗଠନ କରିବ ଇଣ୍ଡିଆ । ଆଗକୁ ୪ଟି ରାଜ୍ୟରେ ଆସୁଥିବା ନିର୍ବାଚନରେ ମଧ୍ୟ କଂଗ୍ରେସ ସଫଳ ପ୍ରଦର୍ଶନ କରିବାକୁ ଯାଉଛି । ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ଯେଉଁଭଳି ଦଳ ପ୍ରଦର୍ଶନ କଲା, ଏହି ୪ ରାଜ୍ୟର ନିର୍ବାଚନ ଏବଂ ଓଡିଶାରେ ମଧ୍ୟ ତାର ପ୍ରତିଫଳନ ଦେଖିବାକୁ ମିଳିବ ।"
'ଓଡ଼ିଶାରେ ଇଣ୍ଡିଆର ପ୍ରଭାବ ପଡ଼ିବନି': ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଓଡିଶାରେ ଇଣ୍ଡିଆ ବନାମ ଏନ୍ଡିଏ ଲଢେଇର ଏତେଟା ପ୍ରଭାବ ପଡିବା ପରି ମନେ ହେଉନାହିଁ । ଓଡିଶାରେ ଏନ୍ଡିଏର ଏକମାତ୍ର ବଡ଼ ବିରୋଧୀ ହେଉଛି ବିଜେଡି । କିନ୍ତୁ ବିଜେଡିର ସୁପ୍ତ ସମର୍ଥନ ରହିଛି ବିଜେପି ଆଡକୁ । ଉଭୟ ବିଜେଡି ଏବଂ ବିଜେପି ନିଜ ନିଜ ତାକତରେ ଲଢେଇ କରିବେ । ବିଜେଡି ସମଦୂରତ୍ବର ଫର୍ମୁଲା ଆପଣାଇ ଏକାକୀ ଲଢେଇ କରିବ । ଏଠି ଇଣ୍ଡିଆର ପ୍ରଭାବ ଏତେଟା ଦେଖିବାକୁ ମିଳିବ ନାହିଁ ।"
'ବିକଳ୍ପ ଦଳ ଭାବେ ଲୋକଙ୍କ ପାଖକୁ ଯିବ ଆପ୍': ତେବେ ଲୋକସଭାରେ ଲଢେଇ କରିବା ପାଇଁ ଆପ୍ ସହିତ ଇଣ୍ଡିଆର ବୁଝାମଣା ହୋଇଛି । କିନ୍ତୁ ବିଧାନସଭା କ୍ଷେତ୍ରରେ ଓଡ଼ିଶାରେ ଇଣ୍ଡିଆର ଭୂମିକା କଣ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏନେଇ ବାରମ୍ବାର ଆଲୋଚନା ହେବ ବୋଲି ଓଡ଼ିଶା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି । ସେ କହିଛନ୍ତି, "ବିଜେଡି ଓ ବିଜେପିର ଭିତିରି ବୁଝାମଣା ଭିତରେ ଆପ୍ ଏକ ବିକଳ୍ପ ରାଜନୈତିକ ଦଳ ଭାବେ ଲୋକଙ୍କ ପାଖକୁ ଯିବ ଆଗାମୀ ନିର୍ବାଚନରେ । ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଅସ୍ତବ୍ୟସ୍ତ ହୋଇପଡିଥିବା ଲୋକମାନେ ଏକ ବିକଳ୍ପ ଭାବେ ଆପକୁ ବାଛିବେ । କିନ୍ତୁ ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆ କି ଭୂମିକା ଗ୍ରହଣ କରିବାକୁ ଯାଉଛି ତାହା ଆଗାମୀ ଦିନରେ ଜଣାପଡିବ ।"