ନବ ଦାସ ହତ୍ୟାକାଣ୍ଡ ନେଇ ଜୋର ଧରିଛି ରାଜନୀତି ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ନେଇ ବିରୋଧି ବିଜେପି ଓ ଶାସକ ବିଜେଡି ମଧ୍ୟରେ ଘନୋଉଛି ବିବାଦ । ବାରମ୍ବାର ଉଭୟ ଦଳର ନେତା ପରସ୍ପର ପ୍ରତି ଦୋଷାରୋପ କରିଚାଲିଛନ୍ତି । ତେବେ ଗୁରୁବାର ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସଠିକ ତଦନ୍ତ ହେଉନଥିବା ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ସତ୍ୟାଗ୍ରହ କରିଛି ବିଜେପି । ଏହାର ଜବାବ ରଖି ରାଜ୍ୟରେ ଆଇଶୃଙ୍ଖଳା ସ୍ଥିତି ଠିକ୍ ଅଛି ଏବଂ କେବଳ ବିରୋଧ ଉଦ୍ଦେଶ୍ୟର ବିଜେପି ନେତା ଏପରି କହୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ । ସେପଟେ ଉଭୟ ଦଳ ପାଖରେ କଣ ତଥ୍ୟ ରହିଛି ବାହାର କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଥମୁନି ବିବାଦ । ବାରମ୍ବାର ବିରୋଧି ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ନବ ଦାସ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ବିଜେପି ସତ୍ୟାଗ୍ରହ କରିଛି । ରାଜ୍ୟରେ ବେଲଗାମ ଆଇନ ଶୃଙ୍ଖଳା ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । କମିଶନରେଟ ପୋଲିସ ଅଫିସ ଆଗରେ ଧାରଣାରେ ବସିଛନ୍ତି ବିଜେପି ନେତା । ନବ ଦାସ ହତ୍ୟା ଘଟଣାର ତଦନ୍ତ ସଠିକ ଭାବେ ହେଉନଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ହତ୍ୟା ପଛରେ ଥିବା ପ୍ରଭାବଶାଳୀଙ୍କୁ ଘଣ୍ଟ ଘୋଡ଼ାଇବା ଯୋଜନା ହୋଇଥିବା ଅଭିଯୋଗ ଭିତରେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।
ସେପଟେ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, "ନବ ଦାସଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ନିଶ୍ଚୟ ଫଳ ବାହାରିବ । ପରିବାର ଲୋକ ନ୍ୟାୟ ପାଇବେ । ବିଭିନ୍ନ କଥା ଶୁଣା ଯାଉଛି, ତଦନ୍ତ ପରେ ସ୍ପଷ୍ଟ ହେବ । ବିଜେପିର କଥା ଶୁଣିଲେ ନିର୍ଣ୍ଣାୟକ ସ୍ତରରେ କେହି ପହଞ୍ଚି ପାରିବେନି । ପ୍ରତିଦିନ ବିଭିନ୍ନ ନେତା ବିଭିନ୍ନ କଥା କହୁଛନ୍ତି । ତାଙ୍କ କଥାରେ ଠିକ୍ ଠିକଣା ନାହିଁ । ରାଜ୍ୟରେ ଆଇଶୃଙ୍ଖଳା ସ୍ଥିତି ଠିକ୍ ଅଛି । ବିରୋଧ କରିବା ବିରୋଧୀଙ୍କ ଧର୍ମ । ପ୍ରତିଦିନ ନୂଆ ନୂଆ କଥା ବାହାର କରୁଛନ୍ତି । କେବଳ ବିରୋଧ ଉଦ୍ଦେଶ୍ୟର ଏପରି କହୁଛନ୍ତି । ପ୍ରମାଣ ନାହିଁ ମିଛ କଥା କହୁଛନ୍ତି ।" ଯଦି ପ୍ରମାଣ ଅଛି ତଦନ୍ତକାରୀ ଅଧିକାରୀଙ୍କୁ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ନୃସିଂହ ।
ସେପଟେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନବ ଦାସଙ୍କ ମର୍ଡର ଏକ ଷଡଯନ୍ତ୍ର । ଉଭୟ ବିଜେଡି ଏବଂ ବିଜେପି ପରସ୍ପରକୁ ଦୋଷାରୋପ କରୁଛନ୍ତି । ତଦନ୍ତକାରୀ ଅଧିକାରୀ ବିଜେପି ଓ ବିଜେଡି ପାଖରେ କଣ ତଥ୍ୟ ରହିଛି ସଂଗ୍ରହ କରନ୍ତୁ । କ୍ରାଇମବ୍ରାଞ୍ଚର ତଦନ୍ତ ଠିକ ହେଉନାହିଁ । ଆମେ ପୂର୍ବରୁ ଦାବି କରୁଥିଲୁ ଜଣେ କାର୍ଯ୍ୟରତ ବିଚାରପତି ଏହାର ତଦନ୍ତ କରନ୍ତୁ । କିନ୍ତୁ ତାହା ହେଲା ନାହିଁ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ବ ଦେଲେ । ତାହା ପୁଣି ତଦାରଖ କରିବାକୁ ।" ତେବେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ବାବାଧାନରେ ତଦନ୍ତ ହେଉ ବୋଲି ସୁର ରାଉତରାୟ ଦାବି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର