ଭୁବନେଶ୍ବର: ଦିଲ୍ଲୀ ଅଧ୍ୟାଦେଶ ଓ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବକୁ ନେଇ ଉଠୁଛି ପଡୁଛି ସଂସଦ । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହୋହାଲ୍ଲା । ଦିଲ୍ଲୀ ଅଧ୍ୟାଦେଶ ବିଲ ରାଜ୍ୟସଭାରେ ପାରିତ କରିବା କଷ୍ଟକର ଥିବାବେଳେ ବିଜେପିକୁ ସମର୍ଥନ ଘୋଷଣା କରିଛି ବିଜେଡି । ଯାହାକୁ ନେଇ ରାଜ୍ୟ ତଥା ଦେଶର ରାଜନୀତି ସରଗରମ ହୋଇଛି ।
ଦିଲ୍ଲୀ ଅଧ୍ୟାଦେଶ ଓ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ । ବିଜେଡିର ଚାଲ ଉପରେ ଉଭୟ NDA ଓ INDIAର ନଜର ଥିଲା । କଣ ହେବ ବିଜେଡିର ଆଭିମୁଖ୍ୟ, ଏ ନେଇ ଥିବା ସସ୍ପେନ୍ସର ଅନ୍ତ ଘଟିଛି । ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ସଂସଦରେ ବହୁ ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ କରିବ ବିଜେଡି । ଖାଲି ସେତିକି ନୁହଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବାକୁ ଖୋଲା ଖୋଲି ଘୋଷଣା କରିଛି । ଏନେଇ ଦଳ ହୁଇପ ଜାରି କରିଛି । ତେବେ ଲୋକସଭାରେ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ଥିବା ସତ୍ୱେ ବିଜେଡି କାହିଁକି ସମର୍ଥନ କଲା ତାକୁ ନେଇ ଲାଗିରହିଛି ଚର୍ଚ୍ଚା । ଯଦିଓ ଲୋକସଭାରେ NDA ପାଇଁ ସମସ୍ୟା ନଥିଲା, କିନ୍ତୁ ରାଜ୍ୟସଭାରେ ଏହି ବିଲକୁ ପାରିତ କରିବା NDA ପାଇଁ ଚ୍ୟାଲେଞ୍ଜ ଥିଲା ।
କିନ୍ତୁ ବିଜେଡିର ଘୋଷଣା ପରେ କୌଣସି ସମସ୍ୟା ହେବନାହିଁ । ଆଉ ବିଜେଡିର ଏହି ଘୋଷଣା ପରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ଆଉ ଆକଳନ ଆରମ୍ଭ ହୋଇଛି । କଂଗ୍ରେସ ଅଭିଯୋଗ କରିଛି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ । ବିଜେପି ଦୟାରୁ ବିଜେଡିର ଜନ୍ମ । ଆଉ ବିଜେପି ପାଖରେ ଶରଣ ପଶିଛି ବିଜେଡି । ବିଜେପି ସମର୍ଥନ ମାଗିବା ପୂର୍ବରୁ ଆଗତୁରା ସହଯୋଗର ହାତ ବଢ଼ାଇ ଦେଉଛି ବିଜେଡି । INDIA ତରଫରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ଆଗତୁରା କହିଦେଲା ବିଜେଡି । ମହିଳାଙ୍କ କଥା କହୁଥିବା ମୁଖ୍ୟମନ୍ତ୍ରୀ କିପରି ଏ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ କଥା ।