ଓଡିଶା

odisha

ETV Bharat / state

ନବ ଦାସ ହତ୍ୟାକାଣ୍ଡ ଉପରୁ ହଟୁନି ରହସ୍ୟ, ଜମିଜମା ବିବାଦରୁ ହୋଇଛି ନବଙ୍କ ହତ୍ୟା ! - ରାଜନୈତିକ ସମୀକ୍ଷକ ରବି ଦାସ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା ଉପରୁ ଏବେଯାଏଁ ହଟିପାରୁନି ରହସ୍ୟର ପରଦା । ହତ୍ୟାକାଣ୍ଡର କାରଣ ଆଜିଯାଏଁ ଖୋଜି ପାଉନି କ୍ରାଇମବ୍ରାଞ୍ଚ । ତେବେ ଜମି ବିବାଦରୁ ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ଅନୁମାନ କରିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ଜମିଜମା ବିବାଦରୁ ହୋଇଛି ନବଙ୍କ ହତ୍ୟା !
ଜମିଜମା ବିବାଦରୁ ହୋଇଛି ନବଙ୍କ ହତ୍ୟା !

By

Published : Feb 6, 2023, 5:24 PM IST

ନବ ଦାସ ହତ୍ୟାକାଣ୍ଡ ଉପରୁ ହଟୁନି ରହସ୍ୟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଦିନ ଯେତିକି ଗଡିଗଡ଼ି ଯାଉଛି, ନୂଆନୂଆ ତଥ୍ୟ ସେତେ ସମ୍ନାକୁ ଆସିବାରେ ଲାଗିଛି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରୁ କାର ମିଳିବା ଘଟଣା ହତ୍ୟାକାଣ୍ଡ ରହସ୍ୟକୁ ଆହୁରି ବଢ଼େଇ ଦେଇଛି । ଜଣେ କୋଇଲା ବ୍ୟବସାୟୀ ମାତ୍ର ଲକ୍ଷେ ଟଙ୍କାରେ ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳ ଦାସକୁ ବିକ୍ରି କରିଥିଲେ ଏହି କାର । ଜଣେ ଫାଣ୍ଡି ଇନଚାର୍ଜ ଜଣେ କୋଇଲା ବ୍ୟବସାୟୀଙ୍କଠାରୁ କାର କିଣିବା ରହସ୍ୟ କଣ ହୋଇପାରେ, ସେନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

ଜମି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ କଲେ ରାଜନୀତି ସମୀକ୍ଷକ: ଗତ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଗସ୍ତ କରୁଥିବା ସମୟରେ ଗାନ୍ଧି ଛକ ନିକଟରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଏନେଇ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଥିବା ବେଳେ ତାକୁ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡକୁ ୯ ଦିନ ବିତିଯାଇଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏବେ ମଧ୍ୟ ଅସ୍ପଷ୍ଟ । ତେବେ ରାଜନୈତିକ ସମୀକ୍ଷକ ରବି ଦାସଙ୍କ କହିବା ଅନୁସାରେ, "ଜମି କିଣାବିକାକୁ ନେଇ ଅଭିଯୁକ୍ତ ଗୋପାଳ ଓ ନବ ଦାସ ତଥା କିଛି ଜମି ମାଫିଆଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଉ ଏହି ଜମି ବିବାଦରୁ ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ଅନୁମାନ କରାଯାଉଛି ।"

'ଅପରାଧର ରାଜନୀତିକରଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧି': ଅନ୍ୟପଟେ ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଭରସା କରିବା ଦରକାର । କାଗଜ ଟୁକୁରାକୁ ନେଇ ଯେଉଁ ତଦନ୍ତ ଚାଲିଛି, ତାହାକୁ ଧୌର୍ଯ୍ୟର ସହ ଅପେକ୍ଷା କରିବା ଦରକାର । ବିଜେପି ଓ କଂଗ୍ରେସ ଅପରାଧର ରାଜନୀତିକରଣ କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ।" ଜବତ ହୋଇଥିବା ୨୨ ଖଣ୍ଡ କାଗଜ ଅଧିକ ଯାଞ୍ଚ ପାଇଁ ହସ୍ତରେଖା ବ୍ୟୁରୋକୁ ପଠାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଟିମ ଗୋପାଳକୁ ରିମାଣ୍ଡରେ ଆଣି ଝାରସୁଗୁଡ଼ାରେ ତଦନ୍ତ ଜୋରଦାର କରିଥିବା ବେଳେ ଅନ୍ୟଏକ ଟିମ ବ୍ରହ୍ମପୁରରେ ରହି ଗୋପାଳ ସାଙ୍ଗସାଥି, ପରିବାର ଓ ବନ୍ଧୁ ତଥା ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି ।

ପୋଲିସ ଡିଜି ସୁନୀଲ ବଂସଲ ହତ୍ୟାକାଣ୍ଡର କାରଣ ମହାପ୍ରଭୁ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କେହି ଜାଣିନଥିବା କହିଥିବା ବେଳେ କ୍ରାଇମବ୍ରାଞ୍ଚ ପାରୁ ପର୍ଯ୍ୟନ୍ତ ତଦନ୍ତ ଚଳାଇଛି । ହେଲେ ଏବେ ସବୁଠୁ ବଡ଼ ପ୍ରଶ୍ନ ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କଣ ? ଜମିଜମା ବିବାଦ ନା କୋଇଲା କାରବାର କରୁଥିବା ମାଫିଆଙ୍କ ସହ ଶତ୍ରୁତାରୁ ଗୋପାଳକୁ ମାଧ୍ୟମ କରାଯାଇ ନବଙ୍କୁ ହତ୍ୟା କରାଯାଇଛି । ଏବେ ଏହି ସବୁ ପ୍ରଶ୍ନ ଉପରୁ ପରଦା ଉଠାଇବା କ୍ରାଇମବ୍ରାଞ୍ଚ ପାଇଁ ଜରୁରୀ ହୋଇପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details