lakhs of rupees money from mining mafia house ଖୋର୍ଦ୍ଧା: ଖଣି ମାଫିଆଙ୍କ ଘରେ ରାତି ଅଧରେ ଚଢାଉ କଲା ପୋଲିସ । ଟଙ୍କା ଗଣି ଗଣି ନୟାନ୍ତ ହେଲେ ପୋଲିସ ବାବୁ । ଚଢାଉ ସମୟରେ 19 ଲକ୍ଷ ଟଙ୍କା ଜବତ ହୋଇଛି । କମିଶନରେଟ ପୋଲିସ ଏକ ଅପରାଧି ଗ୍ୟାଙ୍ଗକୁ ଗରିଫ କରି ଖଣି ମାଫିଆଙ୍କ ଘରେ ଚଢାଉ ପରେ ଲକ୍ଷଲକ୍ଷ ଟଙ୍କା ଜବତ କରିଛି । ବେଇଆନ ଖଣି ବେପାର, ଚୋରା ମୋରମ ଚାଲାଣ ଓ ଗୋରୁ ଚୋରା ଚାଲାଣ ରାକେଟକୁ ଏସକର୍ଟ ଦେଉଥିବା ଗ୍ୟାଙ୍ଗକୁ ଧରିବା ପରେ 4 ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଖଣି ମାଫିଆଙ୍କ ଘରେ ରେଡ କରିଥିଲା ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କଠାରୁ ଅତ୍ୟାଧୁନିକ କାରବାଇନ ବନ୍ଧୁକ ସହ 3 ମାଉଜର ଓ 20 ରାଉଣ୍ଡ ଗୁଳି, ସାତଟି ଦାମୀ ମୋବାଇଲ୍ ଫୋନ୍ ଏବଂ ତିନୋଟି ଦାମୀ କାର ଜବତ ହୋଇଛି ।
ପୋଲିସ ହାତରେ ଧରାପଡ଼ିଥିବା ଏହି ଗ୍ୟାଙ୍କର ମୁଖ୍ୟ ହେଉଛି ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ । ସେହିପରି ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବେଗୁନିଆ ଥାନା କୁଶପଲ୍ଲା ଗ୍ରାମର ବଟକୃଷ୍ଣ ପାଣି, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶିଆଳିଆ ପାଟଣାର ଶିବ କୁମାର ନାଲି ଏବଂ ଦୁର୍ଗାପୁର ଗ୍ରାମର ପ୍ରକାଶ ରାଉତରାୟ । କୌଣସି ବଡ଼ ଧରଣର ଅପରାଧ ଘଟାଇବାକୁ ଯାଉଥିବା ସୂଚନା ପାଇ ସମସ୍ତ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରୁ ଗିରଫ କରିଛି ।
ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ ବିରୁଦ୍ଧରେ ଖଣ୍ଡଗିରି ଏବଂ ଧଉଳି ଥାନାରେ ହତ୍ୟାକାଣ୍ଡ ପରି ଅନେକ ଅପରାଧିକ ମାମଲା ରହିଛି । ସେହିପରି ବେଆଇନ ଗୋରୁ ଚାଲାଣର ମୁଖ୍ୟ ବଟକୃଷ୍ଣ ପାଣିଗ୍ରାହୀ ନାମରେ ବେଗୁନିଆ, ଖୋର୍ଦ୍ଧା ଓ ତମାଣ୍ଡୋ ଥାନାରେ ପୃଥକ୍ ପୃଥକ୍ ମାମଲା ରହିଛି । ପ୍ରକାଶ ରାଉତରାୟ ବିରୁଦ୍ଧରେ ବେଆଇନ ଖଣି ଖନନକୁ ନେଇ ବେଗୁନିଆ, ଖୋର୍ଦ୍ଧା ଆଦର୍ଶ ଥାନା ସହିତ ଏସ୍ଟିଏଫ୍ରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ ବିଗତ ଦିନରେ ଖୋର୍ଦ୍ଧା ବ୍ଲକ୍ ବିଜେଡି ସଭାପତି ଥିଲେ । ଅନେକ ବିଶିଷ୍ଟ ରାଜନୈତିକ ବ୍ୟକ୍ତିଙ୍କ ସହିତ ସିଧା ସଳଖ ସମ୍ପର୍କ ଥିବା ସହିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅତ୍ୟନ୍ତ ଅନୁଗତ ବୋଲି ଜଣାପଡିଛି ।
ସେହିପରି ଶିବ କୁମାର ଏହି ସବୁ ଅପରାଧିକ କାର୍ଯ୍ୟକଳାପରେ ସଞ୍ଜୟ ଖୁଣ୍ଟିଆଙ୍କୁ ସହଯୋଗ କରୁଥିବା ନେଇ ସୂଚନା ମିଳିଛି । ସଦର ଥାନା ଅଞ୍ଚଳରେ ଖଣି ମାଫିଆ ହିସାବରେ ପରିଚିତ ଉଭୟ ପ୍ରକାଶ ଓ ଶିବ ଖଣି ନିଲାମଠାରୁ ନେଇ ବେଆଇନ ଜମି କାରବାର ସହିତ ଗୋ ମାଫିଆଙ୍କୁ ସହଯୋଗ କରି ନିଜର ଅପରାଧିକ ପରିଚୟ ସୃଷ୍ଟି କରିଥିଲେ । ତେବେ ଏହି ଗିରଫଦାରୀ ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ପ୍ରକାଶ ରାଉତରାୟଙ୍କ ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ବାସଭବନରେ ଚଢାଉ କରି ନଗଦ 19ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଦୁର୍ଗାପୁର ସ୍ଥିତ ପୈତୃକ ବାସଭବନ ଓ କ୍ରସର୍ ୟୁନିଟରେ ମଧ୍ୟ ଚଢାଉ ଜାରି ରଖିଛି । ସେହିପରି ଶିବ ନାଲିଙ୍କ ପୈତୃକ ଘରେ ମଧ୍ୟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଖୋର୍ଦ୍ଧା