ଓଡିଶା

odisha

ବେଗୁନିଆ ପୋଲିସର କଳା କାରନାମା; ସକାଳେ ବାଣ ଜବତ କଲା, ରାତି ଅଧରେ ଚୋରା ଚାଲାଣ କଲା

By ETV Bharat Odisha Team

Published : Oct 15, 2023, 8:17 AM IST

Updated : Oct 15, 2023, 2:00 PM IST

ସକାଳେ ଚଢାଉ କରି ବାଣ ଜବତ କଲା । ସେହି ବାଣକୁ ରାତିରେ ଚୋରା ଚାଲାଣ କରିବା ବେଳେ ଧରାପଡିଲା ବେଗୁନିଆ ପୋଲିସ । ଅଧିକ ପଢନ୍ତୁ

ବେଗୁନିଆ ପୋଲିସ ଦ୍ବାରା ବାଣ ଚାଲାଣ ଅଭିଯୋଗ
ବେଗୁନିଆ ପୋଲିସ ଦ୍ବାରା ବାଣ ଚାଲାଣ ଅଭିଯୋଗ

ବେଗୁନିଆ ପୋଲିସର କଳା କାରନାମା

ଖୋର୍ଦ୍ଧା: ପଦାରେ ପଡିଲା ବେଗୁନିଆ ପୋଲିସର କଳା କାରାନାମା । ଦିନରେ ଡାହାଣୀ ହୋଇ ଲାଗିଲା, ରାତିରେ ଗୁଣିଆ ହୋଇ ଝାଡିଲା । ସକାଳେ ଚଢାଉ କରି ଟ୍ରକ ଟ୍ରକ ବାଣ ଜବତ କଲା । ଆଉ ରାତି ବେଳକୁ ସେହି ବାଣକୁ ଚୋରା ଚାଲାଣ କରୁଥିଲା ପୋଲିସ । ହେଲେ ବାଟରେ ପୋଲିସର ଏଭଳି କାରନାମାକୁ ଧରି ପକାଇଲେ ସ୍ଥାନୀୟ ଲୋକେ । ଯେଉଁଥିପାଇଁ ବେଗୁନିଆ ପୋଲିସକୁ ହଟ୍ଟହଟ୍ଟା ହେବାକୁ ପଡ଼ିଛି ।

ଗତକାଲି ବେଗୁନିଆ ପୋଲିସ ବାଣ ଗୋଦାମରେ ଚଢ଼ାଉ କରି ଟ୍ରକ ଟ୍ରକ ବାଣ ଜବତ କରିବା ଘଟଣା ରାଜ୍ଯରେ ଚହଳ ସୃଷ୍ଟି କରିଥିଲା । ହେଲେ ସେହି ବାଣକୁ ନଷ୍ଟ କରାଯିବ କହି ନଷ୍ଟ ନକରି ରାତିରେ ଚୋରା ଚାଲାଣ କରୁଥିଲା । ରାତିର ଅନ୍ଧାରରେ ବେଗୁନିଆ ଥାନାର ପୋଲିସ କର୍ମଚାରୀମାନେ ମାରୁତି ଭ୍ୟାନରେ ବାଣ ଓ ବିପୁଳ ପରିମାଣର ମଦ ଚୋରା ଚାଲାଣ କରୁଥିଲେ । ଥାନାର ପଛପଟ ଗେଟ୍‌ ଦେଇ ରାତି ୧ଟାରେ ମଦ ଓ ବାଣ ନେବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡି ଯାଇଥିଲେ ପୋଲିସ କର୍ମଚାରୀ । ଏହି ଘଟଣାରେ ଜଣେ ପୋଲିସ ଡ୍ରାଇଭର ଏବଂ ଥାନାର ଅନ୍ଯ କେତେଜଣ କର୍ମଚାରୀ ସାମିଲ ହୋଇଥିବା ନେଇ ଲୋକଙ୍କ ହାତରେ ଧରା ପଡ଼ିଥିବା ପୋଲିସ ଡ୍ରାଇଭର ଜଣକ ମାନିଥିଲେ ।

ଏହାମଧ୍ୟ ପଢନ୍ତୁ: ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ମୂଲ୍ୟର ବାଣ ଓ ବିସ୍ପୋରକ ଜବତ

କିଏ କେଉଁ ଉଦ୍ଦେଶ୍ଯରେ ଥାନାରୁ ଜବତ ବାଣ ଏବଂ ମଦକୁ ରାତି ଅଧରେ ଚାଲାଣ କରୁଥିବା ବୋଲି ପ୍ରଶ୍ନ କରିଥିଲେ ଲୋକେ । ସେମାନେ ଗାଡିକୁ ଅଟକ ରଖି ଏ ସମ୍ପର୍କରେ ଖୋର୍ଦ୍ଧା ଏସ୍‌ଡିପିଓଙ୍କୁ ଖବର ଦେଇଥିଲେ । ବିଳମ୍ବିତ ରାତ୍ରିରେ ଏସ୍‌ଡିପିଓ ଦିଲ୍ଲୀପ ଦାସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଏବଂ ଥାନା ଡ୍ରାଇଭରଙ୍କୁ ନିଜ ହେପାଜତକୁ ନେବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହାପରେ ଉତ୍ୟକ୍ତ ଲୋକମାନେ ଗାଡିଟିକୁ ଛାଡ଼ିଥିଲେ । ତେବେ ବେଗୁନିଆ ପୋଲିସ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ବେଳେ ଗୋମାଫିଆ, ଖଣି ମାଫିଆ, ମଦ ମାଫିଆଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ଛାଡ଼ି ଦେଉଥିବା ଅଭିଯୋଗ ହେଉଥିଲ । ଏବେ ଏହି ଘଟଣା ପୂର୍ବର ଚର୍ଚ୍ଚାକୁ ସତ୍ଯ ପ୍ରମାଣିତ କରିଛି ।

ଦିନ ବେଳେ ବିପୁଳ ପରିମାଣ ବାଣ ଜବତ କରି ଚର୍ଚ୍ଚା ଥିବାବେଳେ ଏହାକୁ କିଭଳି ରାତ୍ରିରେ ନଷ୍ଟ ନକରାଯାଇ ଅନ୍ୟତ୍ର ଚାଲାଣ କରାଯାଉଛି ତାହା ଏବେ ସାଧାରଣରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ଯକୁ ସୁରକ୍ଷା ଦେଉଥିବା ପୋଲିସ ଯଦି ନିଜେ ଏପରି ଦୁର୍ନୀତିରେ ଲିପ୍ତ ରହିବ ତେବେ ସ୍ଥାନୀୟ ଅଞ୍ଚଳରେ କ'ଣ ଘଟିବ ସେନେଇ ଉଦବେଗ ପ୍ରକାଶ ପାଇଛି । ସେପଟେ ଥାନାରେ ଥିବା ଏଭଳି କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ । ତେବେ ବେଗୁନିଆ ଥାନାରୁ ବାଣ ଚାଲାଣ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 15, 2023, 2:00 PM IST

ABOUT THE AUTHOR

...view details