ଓଡିଶା

odisha

ETV Bharat / state

ନବଙ୍କ କେତେ ଅଜାତ ଶତୃ, କାହିଁକି ପ୍ରଶ୍ନ ଏଡାଇଲେ ଡିଜି ?

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ପୋଲିସ ଡିଜିଙ୍କ ଖୁଲାସା ସମସ୍ତଙ୍କୁ ଚକିତ କରିଛି । ଏଯାଏଁ ନବଙ୍କ ପରିବାର ଲୋକେ ସନ୍ଦେହ କରୁଥିବା ଦିଗରେ କାହିଁକି ତଦନ୍ତ କରୁନି ପୋଲିସ ପ୍ରଶ୍ନକୁ ବାରମ୍ବାର ଏଡ଼ାଇ ଅନ୍ୟ ଉତ୍ତର ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା

By

Published : Feb 3, 2023, 10:17 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଅନ୍ଧାରରେ ପୋଲିସ୍ । ଏଯାଏଁ ମିଳୁନି ହତ୍ୟାର ପ୍ରକୃତ କାରଣ । ହତ୍ୟାକାରୀ ପୋଲିସ ହେପାଜତରେ ଥିବାବେଳେ ହତ୍ୟାକାରୀର କଣ ଥିଲା ମୋଟିଭ୍‌, ତାହା ମଧ୍ୟ ହୋଇନି ସ୍ପଷ୍ଟ । ଏହାରି ଭିତରେ ବିଭିନ୍ନ ଦିଗରେ ତଦନ୍ତ କରୁଛି ପୋଲିସ । ଏଏସ୍‌ଆଇ ଗୋପାଳ ଦାସର ଷ୍ଟେଟମେଣ୍ଟ ନେଇ କାରଣ ଖୋଜୁଛି ପୋଲିସ୍ । ହେଲେ ଏନେଇ ପୋଲିସ ଡିଜିଙ୍କ ଖୁଲାସା ଏବେ ସମସ୍ତଙ୍କୁ ଚକିତ କରିଛି ।

ପୋଲିସ ଡିଜି କହିଛନ୍ତି, "ହତ୍ୟାକାରୀ ତ ଧରାପଡିଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ହେଲେ ହତ୍ୟାକାରୀର ବୟାନ ହତ୍ୟାର ଚାର୍ଜସିଟ୍ ପାଇଁ ଉପଯୁକ୍ତ ନୁହେଁ ।" ତେବେ ଏଯାଏଁ ନବଙ୍କ ପରିବାର ଲୋକେ ସନ୍ଦେହ କରୁଥିବା ଦିଗରେ କାହିଁକି ତଦନ୍ତ କରୁନି ପୋଲିସ, ଡିଜିଙ୍କୁ ଏନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ଅନ୍ୟ କିଛି ଉତ୍ତର ଦେଇ ଦୁଇ ଦୁଇ ଥର ପ୍ରଶ୍ନକୁ ଏଡାଇ ଦେଇଛନ୍ତି । ଜଣେ ବ୍ୟବସାୟୀ ଓ ରାଜନେତା ହିସାବରେ ବେଶ ଜଣାଶୁଣା ଥିଲେ ନବ ଦାସ । ଅନ୍ୟପଟେ ରାଜ୍ୟର କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ସମେତ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଥିଲା ତାଙ୍କ ଅଧିନରେ । ଏଭଳି ସ୍ଥିତିରେ ତାଙ୍କ ହତ୍ୟା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

୧.ତେବେ ହୋଟେଲ ବ୍ୟବସାୟଠୁ ଆରମ୍ଭ କରି ଖଣି ଟ୍ରାନସପୋର୍ଟ ବ୍ୟବସାୟ ନେଇ ଜଣେ ପ୍ରତିପତି ଲୋକ ଥିଲେ ନବ ଦାସ । ହଜାର ହଜାର ଗାଡି ସମେତ ଶହ ଶହ କମ୍ପାନୀ ସହ ଥିଲା ଆର୍ଥିକ ଓ ବ୍ୟବସାୟିକ କାରବାର । ଏହାସହ ହୋଟେଲ ବ୍ୟବସାୟ ଭଳି ବେଶ୍ ସକ୍ରିୟ ବ୍ୟବସାୟୀ ଥିଲେ ସୁନ୍ଦରଗଡ଼,ଝାରସୁଗୁଡ଼ା ସମେତ ସମ୍ବଲପୁର ଅଞ୍ଚଳରେ । ହେଲେ ଏନେଇ କଣ ନବଙ୍କ ସହ କିଛି ଶତୃତା ରହିଥିଲା କି କାହା ସହିତ ? କାରଣ ଏଭଳି ବ୍ୟବସାୟରେ ବ୍ୟବସାୟିକ ଶତୃତା ରହିବା ସ୍ବଭାବିକ କଥା ।

୨.ଓଡ଼ିଶା ରାଜନିତିରେ ବେଶ ପତିଆରା ରହିଥିଲା ନବ ଦାସଙ୍କର । ଏପରିକି ଅଜସ୍ର ସମ୍ପତ୍ତି ସହ ରାଜନୈତିକ ଗୋଟି ଚାଳନା ଓ ସଂଗଠନ ନେଇ ସେ ଚର୍ଚ୍ଚିତ ଥିଲେ ‌। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ସେ ବେଶ ପରିଚିତ ଥିଲେ । ପୂର୍ବରୁ କଂଗ୍ରେସରେ ଦୁଇ ଦୁଇ ଥର ବିଧାୟକ ହୋଇଥିବା ନବ ଦାସ ଗତ ୨୦୧୯ରେ ବିଜେଡି ଟିକେଟରୁ ଜିତି ସିଧାସଳଖ କ୍ୟାବିନେଟ ମନ୍ତ୍ରୀପଦ ହାସଲ କରିଥିଲେ । ତେବେ ପଶ୍ଚିମ ଓଡ଼ିଶାର ପଦ୍ମପୁର ଉପନିର୍ବାଚନ ସମୟରେ ନବଙ୍କ ରାଜନୈତିକ ଗୋଟି ଚାଳନାରେ ବିଜେଡି ବିଜୟ ଟୀକା ପିନ୍ଧିଥିଲା । ଏପରିକି ବ୍ରଜରାଜନଗରରୁ ନିଜ ଝିଅଙ୍କ ପାଇଁ ବିଜେଡିରୁ ଲବି କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଏହାରି ଭିତରେ ନବଙ୍କ ପାଇଁ ରାଜନୈତିକ ଶତୃତା ମୁଣ୍ଡ ଟେକିଥିଲା କି ?

୩.ସ୍ବସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ କୋଭିଡ ସମୟରେ ପରିଚାଳନା ସହ ରାଜ୍ୟର ସ୍ବାସ୍ଥ୍ୟସେବାରେ ବିକାଶ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେଉଥିଲେ ନବ ଦାସ । ତେବେ ବିଭାଗ ତାଙ୍କ ଅଧିନରେ ଥିବାରୁ ବଡ଼ ବଡ଼ କର୍ପୋରେଟ ହସ୍ପିଟାଲ ମଧ୍ୟ ନବଙ୍କ ଅଧିନରେ ଆସୁଥିଲା । ଏପରିକି ଜାତୀୟସ୍ତରର କମ୍ପାନୀ ମଧ୍ୟ ହସ୍ପିଟାଲ ଖୋଲିବା ଓ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ବିଭାଗୀୟସ୍ତରରେ ଅନୁମତି ଓ ଲବି ମଧ୍ୟ ଜାରି ରହିଥିବ । ତେବେ ହସ୍ପିଟାଲ ବା ସ୍ବାସ୍ଥ୍ୟ ବିଭାଗୀୟ କୌଣସି ଅକୁହା କଥା ନବଙ୍କ ପାଇଁ ଅଡୁଆ ହେଲା କି, ଯାହା ନବଙ୍କ ପାଇଁ ଶତୃତା ତିଆରି କରିଥିଲା ? ତେବେ ପୋଲିସ କାହିଁକି ସେ ଦିଗରେ ତଦନ୍ତ କରୁନାହିଁ କି ପରିବାର ଲୋକଙ୍କୁ ଏସମ୍ପର୍କରେ ପାରୁନାହିଁ ? ପୋଲିସ ମନରେ ଭୟ ରହୁଛି‌କି ସେ ଦିଗରେ ତଦନ୍ତ କଲେ କିଛି ଅଛପା କଥା ସାମ୍ନାକୁ ଆସିଯିବ ?

ଏନେଇ ଦୁଇ ଦୁଇ ଥର ପ୍ରଶ୍ନ କରିଥିଲେ ମଧ୍ୟ ଏହି ପ୍ରଶ୍ନକୁ ଏଡାଇ ଅନ୍ୟ ଆଳରେ ଉତ୍ତର ରଖିଥିଲେ ପୋଲିସ ଡିଜି ସୁନୀଲ ବଂଶଲ । କେବଳ ଅଭିଯୁକ୍ତକୁ ଫୋକସ ଦେଇ କନଫେସନାଲ ଷ୍ଟେଟମେଣ୍ଟ ଆଧାରରୁ କିଏ କ୍ରିମିନାଲ ଜାଣିବା ଆଳ ଦେଖାଇ ତଦନ୍ତ କ୍ରାଇମବ୍ରାଞ୍ଚ ଚଳାଇଥିବା କହିଛନ୍ତି ଡିଜି । ସେ କହିଥିଲେ, "କୌଣସି ମେସିନ କହିପାରିବିନି ଅଭିଯୁକ୍ତର ମୁଣ୍ଡରେ କଣ ଚାଲୁଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରାଯାଉଛି । ସେ ନେଇ ମିଳୁଥିବା ପ୍ରମାଣ ଆଧାରରେ ପୋଲିସ ତଦନ୍ତ ଚଳାଇଛି । ତେବେ ଗୋପାଳର ମାନସିକ ସ୍ଥିତି ନେଇ କିଛି କହିବା ଠିକ୍ ହେବନି । ସେ କଥା ସାଇକୋଲଜିଷ୍ଟ କହିପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details