ଭୁବନେଶ୍ବର:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ବିତିଲାଣି ୨୩ ଦିନ । ହେଲେ ଆଜି ପର୍ଯ୍ୟନ୍ତ ଘଟଣା ନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନାହାନ୍ତି ପୋଲିସ ଡିଜି । ସେପଟେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ନବ ଦାସ ହତ୍ୟାକାଣ୍ଡର ଗୁମର ଫିଟିବ ନାହିଁ ବୋଲି ଚର୍ଚ୍ଚା ହେଉଛି । କାରଣ ବିଧାନସଭା ଅଧିବେଶନ ସମୟରେ କେବଳ ବିଭାଗୀୟ ମୁଖ୍ୟ ତଥା ମନ୍ତ୍ରୀଙ୍କୁ ଛାଡିଦେଲେ ମୁହଁ ଖୋଲିବେ ନାହିଁ ବିଭାଗର ଅଧିକାରୀ । ଏଣୁ ଏହା ପୂର୍ବରୁ ବିଧାନସଭା ସୁରକ୍ଷା ତଦାରଖ ସମୟରେ ଡିଜିଙ୍କୁ ଗଣମାଧ୍ୟମର ପ୍ରଶ୍ନ କରିଥିଲେ ମଧ୍ୟ ଡିଜି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ବିଧାନସଭା ସୁରକ୍ଷା ତଦାରଖ ସମୟରେ ପୋଲିସ ଡିଜିଙ୍କୁ ଗଣମାଧ୍ୟମ ନବଦାସ ହତ୍ୟାକାଣ୍ଡ ସମ୍ପର୍କରେ ପ୍ରଶ୍ନ କରିଥିଲେ ମଧ୍ୟ ଡିଜି ଏହାକୁ ଏଡାଇ ଦେଇ ଚାଲିଯାଇଛନ୍ତି । ଏପରିକି ନା ଏସମ୍ପର୍କରେ ପଦୁଟିଏ ମୁହଁ ଖୋଲିଛନ୍ତି ନା ଏସମ୍ପର୍କରେ କିଛି ତଥ୍ୟ ଉପସ୍ଥାପିତ କରିଛନ୍ତି । ରାଜ୍ୟର ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କ ହତ୍ୟା କରାଗଲା । ପୁଣି ଏହି ହତ୍ୟାକାଣ୍ଡରେ ଗୃହ ବିଭାଗର ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଲା । ହେଲେ ନା ଏ ଘଟଣାର ପରଦା ହଟିଲା ନା ଏ ଘଟଣାର ମୁହଁ ଖୋଲୁଛନ୍ତି ପୋଲିସ ଡିଜି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ଏହି ଘଟଣାକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାରେ ପୋଲିସ ଅସମର୍ଥ ହୋଇଛି। ପୋଲିସ ବିଭାଗର ମୁଖିଆ ହିସାବରେ ତଦନ୍ତ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି କି ରାଜ୍ୟବାସୀଙ୍କୁ ସେମାନଙ୍କ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପଛରେ ସତ କହୁନାହାନ୍ତି । ଡିଜିଙ୍କ ନୀରବତା ଅନେକ ଦିଗ ଆଡ଼କୁ ଏବେ ଇସାରା କରୁଛି। ଡିଜି ତଦନ୍ତ ସମ୍ପର୍କରେ ମଧ୍ୟ ପଦୁଟିଏ କହିନାହାନ୍ତି । ଅନ୍ୟପଟେ ସମସ୍ତ ଅପରାଧର ନଥିପତ୍ର ରେକର୍ଡ କରାଯାଉଥିବା ସଂସ୍ଥା ବା CCTNS ଦାୟିତ୍ବରେ ଥିବା ଓଡ଼ିଶା ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଆଇପିଏସ ବିନୟତୋଷ ମିଶ୍ର ମୁହଁ ଖୋଲିଛନ୍ତି।